Odiapua.com

ଶ୍ୟାମସୁନ୍ଦର ହାଇସ୍କୁଲ ଉନ୍ନତି ପାଇଁ ଲକ୍ଷେ ଦେଲେ ତୁଳସୀ ମିଶ୍ର

ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ପୁରାତନ ବିଦ୍ୟାଳୟ ‘ଶ୍ୟାମସୁନ୍ଦର ହାଇସ୍କୁଲ’ରେ ‘ମୋ ସ୍କୁଲ ଅଭଯାନ’ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତୁଳସୀ ରଂଜନ ମିଶ୍ର ଯୋଗଦେଇ ଶ୍ୟାମସୁନ୍ଦର ହାଇସ୍କୁଲର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଏଥିରେ ଯୋଗଦେଇ ବାଲେଶ୍ୱର ଜିଲ୍ଲାରେ ମୋ ସ୍କୁଲ ଅଭିଯାନର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମିଶ୍ରଙ୍କ ମହାନତାକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଏହି ସହାୟତା ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ଗିରି କହିଥିଲେ। ଶ୍ୟାମସୁନ୍ଦର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନନ୍ଦ ଏଥିରେ ପୌରହିତ୍ୱ କରିଥିଲେ। ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ର ଶ୍ରୀ ମିଶ୍ରଙ୍କର ଏହି ସହାୟତାରେ ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣରେ ସହାୟକ ହୋଇ ପାରିବ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ମିଶ୍ର ଓ ଜିଲା ଶିକ୍ଷାଧିକାରୀ ଶ୍ରୀ ଗିରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସସ୍ମିତା ଦାସ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ପରିଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୀତିଶ କୁମାର ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତର ସଦସ୍ୟ ସଦସ୍ୟା ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।