ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିବେଦିତା ପଣ୍ଡା ଗତ କାଲି ତିହିଡ଼ି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ଇନ୍ଦ୍ରମଣି ମଳିକଙ୍କୁ ଏକ ଟ୍ରାକ୍ଟର ଚୋରି ଅପରାଧରେ ଦଫା ୩୭୯ ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୫୦୦୦/–ଙ୍କା ଜୋରିମାନା, ଅନାଦେୟ ୨ ମାସ ପୁନଶ୍ଚ କାରାଦଣ୍ଡ ଆଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରୁ ସେହି ଗ୍ରାମର ଇନ୍ଦ୍ରମଣି ମଳିକ ଏକ ଟ୍ରାକ୍ଟର ୧୯୯୯ ମସିହାରେ ଋଣରେ ଆଣିଥିଲେ, ଯାହାର ନଂ ଓଆର-୦୧ବି-୮୫୦୧ଏବଂ ମାସିକ କିସ୍ତି ମଧ୍ୟ ପରିଶୋଧ କରି ଆସୁଥିଲେ ।ମାତ୍ର ପରେ ନିଜର ଆର୍ôଥକ ଅନାଟନ ଯୋଗୁଁ ଋଣ ପରିଶୋଧ କରି ନ ପାରି ଖିଲାପ କରିଥିଲେ । ସେ ସମୟରେ ଶ୍ୟାମସୁନ୍ଦରପୁର ସେବା ସମିତିର ସମ୍ପାଦକ ଅଭିଯୁକ୍ତ ଶଙ୍କର୍ଷଣ ଦାସ, ତାଙ୍କୁ ଋଣ ପରିଶୋଧ କରିବା ପାଇଁ ତାଗିଦ୍ କରିଥିଲେ ଏବଂ ଶେଷରେ ଦିନେ ଇନ୍ଦ୍ରମଣି ମଳିକ ବିଲରେ ହଳ କରୁଥିବା ବେଳେ ଟ୍ରାକ୍ଟରଟିକୁ ଯୋର ଜବରଦସ୍ତ ଜବତ କରି ନେଇ ଆସିଥିଲେ। ପରେ ସେବା ସମବାୟ ସମିତି ତରଫରୁ ସେ ଟ୍ରାକ୍ଟରଟିକୁ ଭଡ଼ାରେ ଲଗାଇ ଇନ୍ଦ୍ରମଣି ମଳିକଙ୍କର ଋଣ ପରିଶୋଧ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର କିଛି ଦିନ ପରେ ଋଣ ପରିଶୋଧ ପାଇଁ ସେବା ସମବାୟ ସମିତି ତରଫରୁ ଇନ୍ଦ୍ରମଣି ମଳିକଙ୍କ ନିକଟକୁ ନୋଟିସ୍ ଆସିବାରୁ ସେ ସେବା ସମବାୟ ସମିତିରେ ପହଂଚି ଅଭିଯୁକ୍ତ ସମ୍ପାଦକ ଶଙ୍କର୍ଷଣ ଦାସ ଟ୍ରାକ୍ଟରକୁ ଋଣ ପରିଶୋଧ କରିବା ପାଇଁ ନେଇ ଆସିଛନ୍ତି ବୋଲି କହିବାରୁ ସେବା ସମବାୟ ସମିତିର ସେତେବେଳର ସମ୍ପାଦକ, ସମିତି ତରଫରୁ ସେମିତି କୌଣସି ଟ୍ରାକ୍ଟର ଜବତ ହୋଇ ନାହିଁ ବୋଲି କହିଥିଲେ। ତେଣୁ ଇନ୍ଦ୍ରମଣି ମଳିକ ବାଧ୍ୟ ହୋଇ ଗତ ୨୦୦୮ ମସିହା ଅଗଷ୍ଟ ମାସ ୧୭ ତାରିଖରେ ତତ୍କାଳୀନ ସମ୍ପାଦକ ଶଙ୍କର୍ଷଣ ଦାସ ତାଙ୍କ ଟ୍ରାକ୍ଟରଟିକୁ ଚୋରି କରି ନେଇ ଯାଇଥିବାର ଅଭିଯୋଗ କରି ଏକ ଲିଖିତ ଏତେଲା ଦେଇଥିଲେ । ସେତେବେଳେ ତାଙ୍କ ଅଭିଯୋଗକୁ ଭିତି କରି ତିହିଡ଼ି ଥାନା କେଶ୍ ନଂ ୧୫୬/୨୦୦୮ ଦଫା ୩୭୯ ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଶଙ୍କର୍ଷଣ ଉକ୍ତ ଟ୍ରାକ୍ଟରକୁ ନେବା ପରେ ତାର ସମସ୍ତ ଯନ୍ତ୍ରାଂଶକୁ ଖୋଲି ତିହିଡ଼ି ଥାନା ପାଳିଆ ଗ୍ରାମର ସେକ୍ ଦିଲାଙ୍କୁ ବିକ୍ରି କରି ଦେଇଛି ଓ ବିକ୍ରି ଟଙ୍କାକୁ ନିଜେ ହଡପ କରି ଦେଇଛି। ତଦନ୍ତ ବେଳେ ପୋଲିସ ଉକ୍ତ ଟ୍ରାକ୍ଟରର ଯନ୍ତ୍ରାଂଶ ମଧ୍ୟ ଉଦ୍ଧାର କରି ଜବତ କରିଥିଲା। ଟ୍ରାକ୍ଟର ଚୋରି ଅପରାଧରେ ପୋଲିସ ଶଙ୍କର୍ଷଣ ଦାସଙ୍କୁ ଓ ଚୋରି ଜିନିଷ କିଣିବା ଅପରାଧରେ ସେକ୍ ଦିଲାଙ୍କ ନାମରେ ୩୭୮, ୪୧୧ ଦଫାରେ ଚାର୍ଜସିଟ ଦାଖଲ କରିଥିଲା। ତେବେ ବିଚାର ପରେ ମାନ୍ୟବର କୋର୍ଟ ପ୍ରମାଣ ଅଭାବରୁ ସେକ ଦିଲାଲକୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିବା ବେଳେ ଶଙ୍କର୍ଷଣକୁ ଚୋରି ଅପରାଧରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ବିଧାନ ଆଦେଶ ଦେଇଛନ୍ତି। ଉକ୍ତ ମୋକଦ୍ଦମାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ପଙ୍କଜ କୁମାର ଦାସ ପରିଚାଳନା କରିଥିଲେ ।