Odiapua.com

ଶ୍ୟାମସୁନ୍ଦରପୁର ତଳଦୁମୁକା ଗାଁରେ ଶିଆଳ କାମୁଡ଼ାରେ ୬ ଆହତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗାଁରେ ଶିଆଳ କାମୁଡ଼ାରେ ୬ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରକାଶ ଯେ, ମଙ୍ଗଳବାର ଏକ ପାଗଳା ଶିଆଳ ଗାଁ ଭିତରକୁ ପଶି ଆସି ପୁରୁଷ, ମହିଳା ଓ ଶିଶୁଙ୍କୁ କାମୁଡ଼ି କ୍ଷତବିକ୍ଷତ କରି ଦେଇଥିଲା । ଆହତ ମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ଆହତ ମାନଙ୍କ ମଧ୍ୟରେ କମଳାକାନ୍ତ ଦାସ (୪୦), ଉମାମଣି ବାରିକ (୬୫), ବିଶ୍ୱନାଥ ମଲିକ (୪୫), ଜୟନ୍ତୀ ମଲିକ (୩୫), ଧନ ଖିଲାର (୨୫), ଧନୁ ମଲିକ (୮) ଅଟନ୍ତି । ଏଥି ସହିତ ଶିଆଳ ଗ୍ରାମର ଗୋରୁ, ଗାଈ, ଛେଳି ମାନଙ୍କୁ କାମୁଡ଼ି ମଧ୍ୟ ଆହତ କରିଥିବା ଜଣାପଡ଼ିଛି । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତୁରନ୍ତ ବନବିଭାଗ ପକ୍ଷରୁ ଶିଆଳକୁ ଧରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଡାକ୍ତରଖାନାରେ ପହଞ୍ôଚ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେହି ପାଗଳ ଶିଆଳକୁ ଧରିବା କ୍ଷେତ୍ରରେ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।