Odiapua.com

ଶ୍ରେଷ୍ଠ ବିଧାୟକଭାବେ ସ୍ୱୀକୃତ ଅରୁଣଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା

ନୟାଗଡ଼, ୧/୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଶ୍ରେଷ୍ଠ ବିଧାୟକଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନୀତ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ନୟାଗଡ଼ ନାଗରିକ ମଂଚ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୫୪ ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିଧାୟକ ଡ.ଶ୍ରୀସାହୁଙ୍କୁ ଏକ ବର୍ଣ୍ଡାଢ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ବିଧାୟକଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଖୁସି ମନାଉଥିବାବେଳେ ବିଧାୟକଙ୍କ ‘ଆମ ନୟାଗଡ଼ ଆମ ପାଇଁ ବଡ଼’ ଉକ୍ତିରେ ନୟାଗଡ଼ର ବିକାଶ ପାଇଁ ଅହରହ ଉଦ୍ୟମର ଧାରା ବେଶ୍ ବାରି ହୋଇ ପଡ଼ୁଥିଲା। ଜଣ ନୁହଁ ଗଣ ମନୋବୃ୍ ତ୍ତିରେ ମନୋନିବେଶ କରି ନୟାଗଡ଼ର ବିକାଶ କରିବାପାଇଁ ସମସ୍ତେ ସଂକଳ୍ପ ନେବାପାଇଁ ଆହ୍ୱାନ ଦେଇଥିଲେ। ନୟାଗଡ଼ର ବିକାଶ ଯେପରି ଅଗ୍ରଗତିରେ ବଢି ଚାଲିଛି ତାହା ଆହୁରି ବଢେଇବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିବା ସହିତ ନୟାଗଡ଼ର ବିକାଶ କ୍ଷେତ୍ରରେ ଯେ ବାଧା ସୃଷ୍ଟି କରିବା ତାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷିରେ ବିଜିପୁର ଗେଟ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ସାହୁଙ୍କୁ ପାଛୋଟି ଅଣାଯାଇଥିଲା। ଦର୍ଶକଙ୍କ ରୂଚିକୁ ନେଇ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ମନୋରଂଜନ କାର୍ଯ୍ୟକ୍ରମରେ ଦର୍ଶକ ବେଶ୍ ମସଗୁଲ୍ ହୋଇଥିଲେ।