Odiapua.com

ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ହନୁମାନ ଜୀଉଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହା ୯ ତାରିଖରେ ସମାପନ ହେବ। ଏଥିନିମନ୍ତେ ୩ ଦିନ ବ୍ୟାପୀ ଯଜ୍ଞକର୍ମ, ପ୍ରତିଷ୍ଠା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୂଜକ ସୁରେନ୍ଦ୍ର ପାଣି ଗଣମାଧ୍ୟମକୁ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଆଜି ଅଧିବାସ କର୍ମ ପରେ ପଞ୍ଚଗଭ୍ୟ ଚାନ୍ଦ୍ରାୟଣ, କୁଣ୍ଡ ମଣ୍ଡପାଦି ସଂସ୍କାର ପରେ ସୂର୍ଯ୍ୟାଗ୍ନି ଆହରଣ, ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପରେ କଳସ ଯାତ୍ରା ସଂପନ୍ନ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାବାକ୍ୟ ସଂକଳ୍ପ, ସ୍ତମ୍ଭ ତୋରଣ, ଘଟ, ମଣ୍ଡାଳାଦି ପୂଜା, ନାନ୍ଦିଶ୍ରାଦ୍ଧ, ବାସ୍ତୁପୂଜା, ଯଜ୍ଞାଧିବାସ ସଂପନ୍ନ ହୋଇଥିଲା। ଇଂ ଅଭୟ ସୂତାର କର୍ତ୍ତା ରୂପେ ଦାୟିତ୍ୱ ଲିଭାଇଥିବାବେଳେ ପୂର୍ବତନ ବିଧାୟକ ତଥା ସାଂସଦ ମଂଜୁଲତା ମଣ୍ଡଳଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ସାଳନ୍ଦୀ ଜଳସେଚନ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ କମଳାକାନ୍ତ ବେହେରା, ବସନ୍ତ ପାଣିଗ୍ରାହୀ, ସାଳନ୍ଦୀ କ୍ଲବ୍‌ର ଅଶୋକ ଦ୍ୱିବେଦୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆସନ୍ତା ୮ ତାରିଖ ଦିନ ପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କୁ ମହାସ୍ନାନ, ପାର୍ଶ୍ୱ ପରିଭ୍ରମଣ ପରେ ସାଧୁସନ୍ଥମାନଙ୍କ ଦ୍ୱାରା ମନ୍ଦିର ପ୍ରବେଶକରଣ, ବିଗ୍ରହ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଗୁପ୍ତ ପୂଜା ଓ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ରହିଛି। ୯ ତାରିଖ ଦିନ ସୂର୍ଯ୍ୟପୂଜା, ବିଗ୍ରହଙ୍କ ଅଭିଷେକ, ଷୋଡଶ ଉପଚାରୂ ପୂଜା, ସହସ୍ରାଚ୍ଚନ ବିଧି ଓ ଚାଳିଶା ପାଠ ପରେ ଭଗବତ ଗୀତା ପଠନ, ସପ୍ତସତୀ ପାଠ ଓ ରୁଦ୍ରାଭିଷେକ ପରେ ସନ୍ଧ୍ୟା ୫.୩୦ ମଧ୍ୟରେ ପୂର୍ଣ୍ଣାହୂତି ସଂପନ୍ନ ହେବ।