Odiapua.com

ଶ୍ରୀ ଶ୍ରୀ ଦଧିବାମନ ମଦନ ମୋହନ ଜୀଉ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନରିପୁର ସ୍ଥିତ ପୂଜାରୀସାହିରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଦଧିବାମନ ମଦନ ମୋହନ ଜୀଉ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ ୧୯ ତାରିଖରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତିରେ ଉଦ୍‌ଯାପିତ ହୋଇଛି। ଆଜିର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ପୁରୀ ସେବାୟତ ଯୋଗ ଦେଇଛନ୍ତି। ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ଅଧିବାସ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସାଳନ୍ଦୀ ନଦୀର ଶୀତଳା ଘାଟରୁ ୩ଶହ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଘଟୋତଳନ କରି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଘଟସ୍ଥାପନ ପରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ମଙ୍ଗଳବାର ଠାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ସେବାୟତଙ୍କ ସୂଚନା ମୁତାବକ ଏହି ସ୍ଥାନ ବଣଜଙ୍ଗଲରେ ଭରପୂର ଥିଲା। ପ୍ରାୟ ୧୪୧୬ ଖ୍ରୀଷ୍ଟାବ୍ଦରେ ଚନ୍ଦ୍ରବଂଶର ଜଣେ ରାଜା ଏଠାରେ ଦଧିବାମନ ଜୀଉଙ୍କ ଛୋଟ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଉତରପ୍ରଦେଶ ବନାରସର କୁନକୁଞ୍ଜ୍ୟରୁ ବ୍ରାହ୍ମଣ ମାନଙ୍କୁ ଆଣି ଯଜ୍ଞ କରାଇଥିଲେ। ଠାକୁରଙ୍କ ସେବା ଓ ପୂଜା ପାଇଁ ଏଠାରେ ସ୍ଥାୟୀ ଭାବେ ରହିବା ପାଇଁ ସେମାନଙ୍କ ମଧ୍ୟରୁ ୫ ଜଣ ବ୍ରାହ୍ମଣଙ୍କୁ ରାଜା ଜମି ଓ ଘର ଯୋଗାଇ ଦେଇଥିଲେ। କାଳକ୍ରମେ ସେହି ୫ ସେବାୟତରୁ ଏବେ ୧୫ ଘର ସେବାୟତ ସେଠାରେ ବାସ କରୁଛନ୍ତି। ସେମାନେ ପାଳି କରି ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି। ସେମାନଙ୍କ ଆର୍ଥିକ ସହଯୋଗ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରାୟ ଦେଢ଼କୋଟି ଟଙ୍କାରେ ଏକ ଭବ୍ୟ ମନ୍ଦିର ସେଠାରେ ନିର୍ମାଣ ସମ୍ଭବ ହୋଇପାରିଛି। ୨୦୨୨ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହେବା ପରେ ସେହି ମନ୍ଦିରରେ ଠାକୁରଙ୍କ ପୁନଃ ପ୍ରତିଷ୍ଠା ଉପଲକ୍ଷେ ଉତ୍ସବର ସମାପନ ହୋଇଛି। ମନ୍ଦିରରେ ଦଧିବାମନ ମଦନମୋହନ ଜୀଉଙ୍କ ସମେତ ପାଶ୍ୱର୍ମୂର୍ତି ଭାବେ ରାଧାକୃଷ୍ଣ, ଆଣ୍ଠିଆଗୋପାଳ, ନୃସିଂହ, ଶାଳଗ୍ରାମ, ହନୁମାନ, ଗଣେଶ ଆଦି ଦେବାଦେବୀ ବିରାଜିତ ଅଛନ୍ତି। ମନ୍ଦିରରେ କାର୍ତିକ ପୂର୍ଣ୍ଣିମା, ଝୁଲଣଯାତ୍ରା, ରଥଯାତ୍ରା ଆଦି ମୁଖ୍ୟପର୍ବ ପାଳନ କରାଯାଏ। ମନ୍ଦିର ପରିଚାଳନା ପାଇଁ ପାଳିଆ ସେବାୟତ ମାନଙ୍କୁ ନେଇ ଶ୍ରୀ ଦଧିବାମନ ଜୀଉ ପରିଚାଳନା କମିଟି ଗଠିତ ହୋଇଛି। ସଭାପତି ଭାବେ ମଦନ ମୋହନ ଦାସ, ସମ୍ପାଦକ ରଞ୍ଜିତ କୁମାର ଦାସ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ଦାସ, ସହସମ୍ପାଦକ ରବୀନ୍ଦ୍ର କୁମାର ଦାସ ଓ ବିମଳ କୁମାର ଦାସ, ସଦସ୍ୟ ଭାବେ ଉମାକାନ୍ତ ଦାସ, ନିତ୍ୟାନନ୍ଦ ଦାସ, କିଶୋର ଚନ୍ଦ୍ର ଦାସ, ସୁଜିତ୍ ଦାସ, ବରେନ୍ଦ୍ର ଦାସ ପ୍ରମୁଖ କମିଟିରେ ଅଛନ୍ତି। ପ୍ରତ୍ୟେହ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଦ୍ୱାରା ଭଜନ ପରିବେଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।