ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ୱର ମହାଦେବ -ବିଜେ ଆରଡ଼ିଙ୍କ ପବିତ୍ର ଶ୍ରାବଣ ଉତ୍ସବ – ୨୦୨୬ ର ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ରବି ନାରାୟଣ ସାହୁ ,ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡି ଆଇ ବି ଅଙ୍ଗଶୁମାନ୍ ଦ୍ୱିବେଦି ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମନ୍ଦିର ସେବାୟତ ମାନେ ମଧ୍ୟ ପ୍ରସ୍ତୁତି ବୈଠକ ରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଶ୍ରାବଣ ଜଳାଭିଷେକ ପର୍ବ ୨୦.୦୭.୨୦୨୬ ସୋମବାର ଠାରୁ ଆରମ୍ଭ ହୋଇ ୨୪.୦୮.୨୦୨୬ ସୋମବାର ପର୍ଯ୍ୟନ୍ତ କ୍ରମାଗତ ୬ଟି ସୋମବାର ଅନୁଷ୍ଠିତ ହେବ। ଏହା ବ୍ୟତୀତ ଜୁଲାଇ ୧୯, ୨୬ ଏବଂ ଅଗଷ୍ଟ ୨, ୯, ୧୬ ଓ ୨୩ ତାରିଖ ରବିବାର ଦିନମାନଙ୍କରେ ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକ ରେ ଆଇନ ଶୃଙ୍ଖଳା ,ପୋଲିସ ଫୋର୍ସ ଓ ସ୍ୱେଚ୍ଛାସେବୀ ମାନଙ୍କୁ ନିଯୁକ୍ତି,ସୁରକ୍ଷାକର୍ମୀ ଙ୍କ ରହିବା ପାଇଁ ବ୍ୟବସ୍ଥା ,ଭକ୍ତମାନଙ୍କ ସୁବିଧା ପାଇଁ ଦର୍ଶନ ଲାଇନ୍ ନିୟନ୍ତ୍ରଣ ଓ ବ୍ୟାରିକେଡିଂ, ଆବଶ୍ୟକ ସ୍ଥଳେ ଙ.ଊ.ଜ.ଇ.ୠ ବାହିନୀ ନିଯୁକ୍ତି ଓ ନଦୀଘାଟରେ ଉଦ୍ଧାରକାରୀ ଦଳ ମୁତୟନ,ଅତିରିକ୍ତ ପାର୍କିଂ ସ୍ଥଳ ନିର୍ଦ୍ଧାରଣ ଓ ଆବଶ୍ୟକ ସ୍ଥଳେ ରାସ୍ତା ମରାମତି, ଭକ୍ତମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ମନ୍ଦିର ଓ ଉତ୍ସବ ସ୍ଥଳର ସଜ୍ଜା ଓ ଆଲୋକୀକରଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ,ଭକ୍ତଙ୍କ ବିଶ୍ରାମ ପାଇଁ ରହିବା ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପବିତ୍ର ପୀଠକୁ ଆସିଥାନ୍ତି। ତେଣୁ ଭକ୍ତମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି ।