Odiapua.com

ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ବାର୍ଷିକୋତ୍ସବ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସତ୍‌ସଙ୍ଗ ବିହାରରେ ମଙ୍ଗଳବାର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଓ ଶ୍ରୀ ଶ୍ରୀ ବଡଦାଙ୍କର ୫୧ତମ ଶୁଭ ଆଗମନ୍ୟ ମହୋତ୍ସବ ପାଳିତ ହୋଇଯାଇଛି । ୧୯୭୩ ମସିହା ଡିସେମ୍ବର ୫ ତାରିଖରେ ଶ୍ରୀ ଶ୍ରୀ ଠାକୁର ବଡ଼ଦା କହରାପୋଖରୀର ଏକ ଆମ୍ବଗଛ ମୂଳେ ବିଶ୍ରାମ କରି ଯାତ୍ରା କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଏଥିନେଇ ଉତ୍ସାହ ପ୍ରକାଶ ପାଇଥିଲା । ସେହି ସ୍ମରଣୀୟ ଦିବସକୁ ପ୍ରତିବର୍ଷ ଶ୍ରୀ ଶ୍ରୀ ଠାକୁରଙ୍କର ଆଗମନ୍ୟତ୍ସୋବ ଭାବେ ପାଳନ କରାଯାଇ ଆସୁଅଛି । ପ୍ରଭାତରୁ ନହବତ ବେଦ ମାଙ୍ଗଳିକ ଉଷା କିର୍ତ୍ତନ, ପ୍ରାତଃ ବିନତୀ ସଦଗ୍ରନ୍ଥ ପାଠ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗୁରୁଭ୍ରାତାଙ୍କ ଦ୍ୱାରା ଭକ୍ତିସଙ୍ଗୀତ ଗାନ କରାଯାଇଥିଲା । କଟକ ସତସଙ୍ଗ ବିହାରରୁ ନିତ୍ୟସୁନ୍ଦର ଭାଇ ଓ ଜୟନ୍ତୀ ମାଆଙ୍କ ନେତୃତ୍ୱରେ ଦଳ ସଙ୍ଗୀତ ପରିବେଷଣ କରିଥିଲେ । ସହପ୍ରତିଋତ୍ୱିକ ଧରଣୀଧର ସ୍ୱାଇଁଙ୍କ ସଂଯୋଜନାରେ ବିନତୀ ପ୍ରାର୍ଥନା ଓ ହାଡିବନ୍ଧୁ ବେହେରାଙ୍କ ଦ୍ୱାରା ସତ୍ୟାନୁସରଣ ଅର୍ପଣ କରାଯାଇଥିଲା ।

ସହପ୍ରତିଋତ୍ୱିକ ତଥା ସତ୍‌ସଙ୍ଗ ବିହାର ସମ୍ପାଦକ ଅଭିମନ୍ୟୁ ଖଟୁଆ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରତିଋତ୍ୱିକ ଦେଓଘରସ୍ଥିତ କେନ୍ଦ୍ରୀୟ ସତସଙ୍ଗ ସହସମ୍ପାଦକ ବିନାୟକ ମହାପାତ୍ର ମୁଖ୍ୟଅତିଥି, ସହପ୍ରତିଋତ୍ୱିକ ବୈରାଗୀ ଚରଣ ସାହୁ ମୁଖ୍ୟବକ୍ତା ଓ ସହପ୍ରତିଋତ୍ୱିକ ଶ୍ରୀଧର ସୁନ୍ଦର ମିଶ୍ର ଅତିଥି ଭାବେ ଯୋଗଦେଇ ମାନବ ଜୀବନରେ ସଦଗୁରୁ ଅନୁସରଣ ଓ ଯାଜନ, ଯଯନ, ଇଷ୍ଟବୃତ୍ତି ଆଦି ଅନୁଶାସନ ପାଳନ ଦ୍ୱାରା ମୁକ୍ତିମାର୍ଗ ପ୍ରାପ୍ତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍ନେହ, ପ୍ରେମ, କରୁଣା ଭଳି ଦିବ୍ୟ ଗୁଣ ଅଧିକାରୀ ହୋଇପାରିଲେ ସତ୍‌ସଙ୍ଗର ସାର୍ଥକତା ମିଳିପାରିବ ବୋଲି କହିଥିଲେ । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ବଦ୍ରୀନାରାୟଣ ଧଳ, କଂଗ୍ରେସ ବ୍ଳକ ସଭାପତି ରଜନୀକାନ୍ତ ଚନ୍ଦ, ଗୋଲକ ବେହେରା, ବିଜୟଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସହପ୍ରତିଋତ୍ୱିକ ତଥା ସତ୍‌ସଙ୍ଗ ବିହାର ସଭାପତି ପ୍ରତାପ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଭାଇ ପରିଚାଳନା କରିଥିôଲେ । ଏହି ଉତ୍ସବରେ ଧାମନଗର, ଚାନ୍ଦବାଲି, ବନ୍ତ, ତିହିଡି, ବାସୁଦେବପୁର ଆଦି ଅଞ୍ଚଳରୁ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଯୋଗଦେଇ ଥିଲେ । ମଧ୍ୟାନ୍ନରେ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।