Odiapua.com

ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁ କ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡ଼ା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତାକର୍ଷକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜାରେ ପଣ୍ଡିତ ମୁରଲୀଧର ଶତପଥୀ, ଲୋକନାଥ ମିଶ୍ର ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଂଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ମନ୍ଦିର ପ୍ରତିଷ୍ଠାତା ରାଜ୍ୟ ଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପରେ ଜ୍ୟେଷ୍ଠପୁତ୍ର ଅମର ନାୟକ ମୁଖ୍ୟ ପୂଜାକର୍ତା ଭାବେ ପୂଜା କରିଆସୁଥିବା ବେଳେ ତାଙ୍କ ଦେହାନ୍ତ ପରେ ପରିବାର ପକ୍ଷରୁ ଏହି ପୂଜା ପାଳନ କରାଯାଉଛି। ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡ଼ି ଥାନା ପାଳିଆ ନୂଆନନ୍ଦ ସାନହାଟୁଆରୀ ଗ୍ରାମର ମୂର୍ତି କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି। ସନ୍ଧ୍ୟାରେ ପୂଜା ମଣ୍ଡପରେ ଗ୍ରାମାଂଚଳ ଥାନା ଜଳଙ୍ଗା କୁଆପଦାର ବାଲ୍ୟମଙ୍ଗଳା ଭଜନ ମଣ୍ଡଳୀର ଗାୟକ ସୁବାସ ମଣ୍ଡଳ, ଅକ୍ଷୟ ଜେନା, ଦୀପ୍ତିରାଣୀ ମଣ୍ଡଳ, କୃଷ୍ଣଚନ୍ଦ୍ର ରାଉତ, କରୁଣାକର ଜେନା, ଲକ୍ଷ୍ମୀଧର ରାଉତ, କୁଶ ଚିନ୍ନରା, ରବୀନ୍ଦ୍ର ମୁଦୁଲି ପ୍ରମୁଖ ଭଜନ ପରିବେଷଣ କରିଥିଲେ। ପୂଜା ଉତ୍ସବରେ ଜନ ପ୍ରତିନିଧି, ଜିଲ୍ଲା ପ୍ରଶାନିକ ଅଧିକାରୀ, ଆଇନଜୀବୀ, ସାମ୍ବାଦିକ, ଗ୍ରାମବାସୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।