Odiapua.com

ଶ୍ରୀ ମନ୍ଦିରରେ ଗୀତଗୋବିନ୍ଦ ସେବାର ପୁନଃପ୍ରଚଳନ କରାଯାଉ

– ଦେବପ୍ରସାଦ ମିଶ୍ର

ଶ୍ରୀମନ୍ଦିର ପ୍ରତିଷ୍ଠିତ ହେବା ପରେ ପ୍ରଥମେ ଏଥିରେ ଶ୍ରୀଜୀଉଙ୍କ ବିଭିନ୍ନ ସେବା ପୂଜା, ରୀତି ନୀତି ସମ୍ପନ୍ନ ପାଇଁ ନଅ ପ୍ରକାର ସେବାୟତ ଖଞ୍ଜା ଯାଇଥିଲେ, ଯଥା – ୧. ଚରୁ ହୋତା ୨. ପାତ୍ର ହୋତା ୩. ବ୍ରହ୍ମା ୪. ଆଚାର୍ଯ୍ୟ ୫. ପ୍ରତିହାରି ୬. ପୁଷ୍ପାଳକ ୭. ଦଇତା ୮. ରଜକ ୯. ନାପିତ ପ୍ରତ୍ୟେକଙ୍କୁ ସ୍ୱତନ୍ତ୍ର ସେବା କରିବା ପାଇଁ ନିଯୁକ୍ତି କରାଯାଇଥିଲା ଯେପରି କୌଣସି ଅସୁବିଧା ହେବନାହିଁ। ଅନଙ୍ଗଭୀମଙ୍କ ରାଜୁତିରେ ଛତିଶାନିଯୋଗ ସୃଷ୍ଟି ହେଲା। ଏହି ଛତିଶାନିଯୋଗର ୩ଟି ମୁଖ୍ୟ ବିଭାଗ ଥିଲା। ଯଥା- ୧. ପ୍ରତିହାରି ନିଯୋଗ, ୨. ସୁଆର ଓ ମହାସୁଆରନିଯୋଗ ୩. ଭିତରଛ ନିଯୋଗ। ଅନ୍ୟ ମନ୍ଦିରର ଦେବାଦେବୀଙ୍କ ପୂଜାନୀତିର ସୁପରିଚାଳନା ଏହି ୩ ନିଯୋଗ ତଦାରଖ କରୁଥିଲେ। କୌଣସି ସେବାର ଅବହେଳା ପାଇଁ ସଂପୃକ୍ତ ସେବାୟତଙ୍କୁ ରାଜା ( ଗଜପତି ) ଦଣ୍ଡ ଦେଉଥିଲେ ! ପୁରୀର ଗଜପତି ମହାରାଜା ଶ୍ରୀମନ୍ଦିରର ସର୍ବମୟ କର୍ତ୍ତା ଥିଲେ। ଗୀତଗୋବିନ୍ଦ ସେବକ ଶ୍ରୀମନ୍ଦିରର ଅନ୍ୟାନ୍ୟ ସେବାୟତଙ୍କ ପରି ଏକ ଜାତି। ମାଦଳା ପାଞ୍ଜି ଅନୁସାରେ କବି ନରସିଂହଦେବ ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ବୋଲାଯିବା ପାଇଁ ଅନୁମତି ଦେଲେ। କାରଣ ଲଳିତ ଭାଷା, ମଧୁର ରସ, ସରସ ଅନୁପ୍ରାସ, ସରଳ ସ୍ୱର ଓ ସହଜ ତାଳ ଶ୍ରୀଗୀତଗୋବିନ୍ଦକୁ ସମାଦୃତ କରିପାରିଥିଲେ। କବି ନରସିଂହ ଦେବ ହିଁ ଗଙ୍ଗ ବଂଶର ନରସିଂହ ଦେବ – ୨ୟ ( ଖ୍ରୀ ୧୨୭୮ – ୧୩୦୬ )। ରାଜାନୁଗତ ଧର୍ମ ଭାବେ ଗୀତ ଗୋବିନ୍ଦର ଶ୍ରୀମନ୍ଦିରରେ ପ୍ରଦେଶ ଗାୟନ, ନୃତ୍ୟ ( ମାହାରୀ ସେବା ) କ୍ରମଶଃ ନିବିଡ ହୋଇ ଉଠିଲା, ଖ୍ରୀ ୧୧୭୦ – ୧୧୯୦ ମଧ୍ୟରେ ମହାରାଜ ରାଜରାଜ ଦେବଙ୍କ ଭ୍ରାତା ଆଚାର୍ଯ୍ୟ ଉଦୟନ ଗୀତଗୋବିନ୍ଦାରସ ଭାବ – ଭାଷା ଓ ରଚନା ଲାଳିତ୍ୟରେ ମୁଗ୍ଧ ହୋଇ ପ୍ରଥମେ ଏହି ଗୀତିକାବ୍ୟର ଟୀକା ପ୍ରଣୟନ କଲେ। ଖ୍ରୀ ୧୪୯୯ ରେ ମହାରାଜା ପ୍ରତାପରୁଦ୍ର ଦେବ ଶ୍ରୀଜୀଉଙ୍କ ମଣୋହି ( ଭୋଗ ) ବାଢିବା ବେଳେ ସନ୍ଧ୍ୟା ଧୂପଠାରୁ ବଡସିଂହାର ପର୍ଯ୍ୟନ୍ତ କେବଳ ଶ୍ରୀଗୀତଗୋବିନ୍ଦର ଗାୟନ ଓ ନର୍ତ୍ତନ ଆଦେଶ ଦେଲେ ! ତା ପୂର୍ବରୁ ଖ୍ରୀ ୧୪୫୧ ରେ ମହାରାଜା କପିଳେନ୍ଦ ଦେବ ୧୯ ଅଙ୍କରେ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରରେ ଶ୍ରୀଗୀତଗୋବିନ୍ଦ ନିତ୍ୟପାଠବିଧି ରାଜାଦେଶ ରୂପେ ଅମରାକ୍ଷରରେ ଶିଳାଲିପି ଭାବେ ଘୋଷଣା କରୁଛି।

ପ୍ରତାପରୁଦ୍ରଦେବଙ୍କ ପିତା ପୁରୁଷୋତ୍ତମଦେବଙ୍କ ସ୍ୱରଚିତ ଅଭିନବ ଗୀତଗୋବିନ୍ଦର ପ୍ରାଧାନ୍ୟକୁ ପୁରୋହିତ, ରାଜଗୁରୁ, ବ୍ରାହ୍ମଣ, ସେବାୟତ ସମସ୍ତେ ବିରୋଧ କଲେ। କବିରାଜ ଜୟଦେବ ଗୀତଗୋବିନ୍ଦ ଗାୟନ ହିଁ ଶ୍ରେୟ। କିନ୍ତୁ ଶ୍ରୀଜୀଉଙ୍କ ଆଗରେ ଏକ ପରୀକ୍ଷାରେ ଜୟଦେବ ଗୀତଗୋବିନ୍ଦ ଗାୟନ ପ୍ରମାଣିତ ହେବାରୁ ପ୍ରତାପରୁଦ୍ର ବନ୍ଦ କରିଥିବା ଆଦେଶ ପ୍ରତ୍ୟାହାର କରିନେଲେ ! କାଳର କରାଳଗତିରେ ଶ୍ରୀମନ୍ଦିର ଆକ୍ରମଣ, ଓଡିଶାରେ ଅରାଜକତା, ବିଧର୍ମୀ ଶାସନ ଗୀତଗୋବିନ୍ଦ ସେବାରେ ଯଥେଷ୍ଟ ବାଧା ସୃଷ୍ଟି କଲା। ସେନାପତି ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ଶ୍ରୀଚନ୍ଦନ ( ୧୫୫୯ – ୧୫୬୮ )ଙ୍କ ରାଜତ୍ୱ ପରେ ଓଡିଶାରେ ସମ୍ପୂର୍ଣ୍ଣ ଅରାଜକତା ଦେଖାଗଲା। ରାଜା ମାନ ସିଂ ଆଫଗାନ୍ ମାନଙ୍କୁ ପରାସ୍ତ କରି ଖ୍ରୀ ୧୫୯୦ ରେ ରାମଚନ୍ଦ୍ର ଦେବଙ୍କୁ ଖୋରଧାରେ ରାଜାଭିଷେକ କରାଇ ଶ୍ରୀଜଗନ୍ନାଥ ମନ୍ଦିରର କର୍ତ୍ତୃପକ୍ଷ ରୂପେ ଘୋଷଣା କଲେ। ଖ୍ରୀ ୧୫୯୧ ରେ ଶ୍ରୀମନ୍ଦିରରେ ନୂତନ ତ୍ରିମୂର୍ତ୍ତି ସ୍ଥାପନ, ଶ୍ରୀମନ୍ଦିର ପ୍ରଶାସନର ଶୃଙ୍ଖଳୀକରଣ, ବ୍ରାହ୍ମଣ ଶାସନ ପ୍ରତିଷ୍ଠା, ମୁକ୍ତି ମଣ୍ଡପ ସଭାଗଠନ, ଛାମୁଚିଟାଉ ଲିଖନ ଏବଂ ସର୍ବୋପରି ଶ୍ରୀମନ୍ଦିରରେ ନିୟମତ ଶ୍ରୀଗୀତଗୋବିନ୍ଦ ଗାୟନ ଓ ନୃତ୍ୟ ( ମାହାରୀ ବା ଦେବଦାସୀ ସେବା ପ୍ରଚଳନ କରିଥିବାରୁ ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ କୁହାଯାଏ। ମୁର୍ସିଦ୍ କୁଲିଖାଁ, ତକି ଖାଁ, ଏକରାମ୍ ଖାଁ, କଳାପାହାଡ, ପ୍ରଭୃତିଙ୍କ ଆକ୍ରମଣ ଯୋଗୁଁ ଅଶାନ୍ତ ପରିସ୍ଥିତି, ଦେବତାଙ୍କ ଅନୁପସ୍ଥିତି କାରଣ ଯୋଗୁଁ ଗୀତଗୋବିନ୍ଦ ସେବା ବ୍ୟାହତ ହେବା ସ୍ୱାଭାବିକ ! ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖଭାଗରେ ମାହାରୀ ବା ଦେବଦାସୀ ସେବା ଛାମୁଚିଟାଉ ଖ୍ରୀ ୧୭୫୨ ରେ ରାଜା ଶ୍ରୀବୀର କେଶରୀ ଦେବ -ମଙ୍କ ଉଣେଇଶ ଅଙ୍କରେ ମାହାରୀସେବା ପାଇଁ ପ୍ରଣୟନ କରାଯାଇଥିଲା। କୁସୁମ ମାହାରୀର ଦୁଇ କନ୍ୟା ମାହାରୀ ସେବା କରିବାକୁ ଶାଢୀ, ଚନ୍ଦନ ଦେବାକୁ ଛାମୁଚିଟାଉରେ ଶ୍ରୀମନ୍ଦିର ପରିଚ୍ଛାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମିଥୁନ ବାର ଦିନରେ ଅନ୍ୟ ଏକ ଛାମୁଚିଟାଉରୁ ଜଣାଯାଏ ଯେ – କୁସୁମ ମାହାରୀ ଉଭଲୀନାଟ ଓ ଏକାନ୍ତନାଟ ବା ଏକାନ୍ତ ନୃତ୍ୟ ଜଗମୋହନରେ ପ୍ରଭୁଙ୍କ ପହୁଡ ପୂର୍ବରୁ ବଡସିଂହାର ବେଶରେ କରାଗଲା। ଫକୀର ମାହାରୀ ପରିବର୍ତ୍ତେ କୁସୁମ ମାହାରୀ ଏହି ଗୀତଗୋବିନ୍ଦ ସେବା କଲା ! ତା ପରେ ତିଳୋତ୍ତମା ମାହାରୀ ଏହି ସେବାକୁ ଶାଢୀବନ୍ଧା ଓ ସେବାକ୍ରୟ ପର୍ଯ୍ୟାୟରେ ସମ୍ପନ୍ନ କଲା ! ଉତ୍ତରାଧିକାରୀ ସତ୍ତ୍ୱେ ତାର ଦୁଇ କନ୍ୟା ପରାଣ ଓ ଆଗେଲାଇ ଏହି ସଭା ଚାଲୁ ରଖିଲେ। ବିମଳାଦେବୀଙ୍କ ଚାଙ୍କିବନ୍ଧାଶାଢୀ ଏମାନେ ଖେଇ ( ପ୍ରାପ୍ୟ ) ସ୍ୱରୂପ ପାଉଥିଲେ। ଶ୍ରୀବୀରକିଶୋର ଦେବ ( ୧୭୩୬ – ୧୭୯୨ ) ଙ୍କ ସମୟରେ ଏହି ଗୀତଗୋବିନ୍ଦ ସେବା ମାନ୍ୟତା ପ୍ରାପ୍ତ ହୋଥିଲା। ଶାରୀରିକ ଅକ୍ଷମତା, ଅପାରଗ କିମ୍ବା ବିବାହ କଲେ ଜଣେ ମାହାରିର କନ୍ୟା ଏହି ସେବାରୁ ବଞ୍ଚିତ ହେଉଥିଲା। ସାଧାରଣତଃ ମାହାରି ଏକ ପୋଷ୍ୟକନ୍ୟା କରି ତାରି ପାଳନପୋଷଣ, ସଂଗୀତ ନୃତ୍ୟ ଶିକ୍ଷା ପ୍ରଦାନ କରି ମାହାରି ସେବା କରିବା ପାଇଁ ଶାଢୀବନ୍ଧା କାର୍ଯ୍ୟ କରାଉଥିଲା। ଶ୍ରୀଜଗନ୍ନାଥ ହିଁ ତାଙ୍କର ସ୍ୱାମୀ, ପତି ପରମ ଦେବତା ଇହପରକାଳର ସର୍ବମୟ ହର୍ତ୍ତା, କର୍ତ୍ତା, ବିଧାତା। ଆଜୀବନ କୁମାରୀ ବ୍ରତରେ ଶଙ୍ଖା ସିନ୍ଦୂର ଧାରଣ କରି ପବିତ୍ର ଭାବେ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୀତଗୋବିନ୍ଦ ଗାୟନ ଓ ନୃତ୍ୟ କରିବା ମାହାରି ଧର୍ମ ଅଟେ ! ଓଡିଶା ଅଭିଲେଖାଗାର ରେ ସୁରକ୍ଷିତ ଖ୍ରୀ ୧୮୦୩ ର ପ୍ରଥମ ଇଂରେଜ କଲେକ୍ଟର ସି.ଗ୍ରୋମ୍ ଙ୍କ ବିବରଣୀରେ ଗୀତଗୋବିନ୍ଦ ସେବା ଏକ ଚିରାଚରିତ ପାରମ୍ପାରିକ ନୀତି ବୋଲି ଉଲ୍ଲେଖ କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠ ଓ ରାଘବ ଦାସ ମଠ ଉପରେ ଏହି ଶ୍ରୀଗୀତଗୋବିନ୍ଦ ଗାୟନ ସେବା ନ୍ୟସ୍ତ କରାଯାଇଥିଲା। ଜନୈକ ନାରାୟଣ ଆଚାର୍ଯ୍ୟ ସନ୍ଧ୍ୟାଧୂପ ଚନ୍ଦନ ଲାଗି ପରେ ଗୀତଗୋବିନ୍ଦ ଗାୟନ କରୁଥିଲେ ଜୟବିଜୟ ଦ୍ୱାର ନିକଟରେ। ଶ୍ରୀମନ୍ଦିରର ବୀଣାକାର ସେବକ ଏହି ସମୟରେ ମଧ୍ୟ ବୀଣାବାଦନ କରୁଥିଲେ। ବିଶିଷ୍ଟ ଉତ୍ସବ ଦିବସରେ ପ୍ରଭୁଙ୍କୁ ଶ୍ରୀଗୀତଗୋବିନ୍ଦ ଲିଖିତ ଖଣ୍ଡୁଆ ( ପାଟଶାଢୀ ) ଲାଗି କରାଯାଏ ଚାଙ୍ଗଡାମେକାପଙ୍କ ଦ୍ୱାରା। ଦୁଃଖର ବିଷୟ ନିକଟ ଅତୀତରେ କୋକିଳପ୍ରଭା ଦେବଦାସୀଙ୍କର ଦେହାନ୍ତ ହୋଇଯାଇଛି।

ଶ୍ରୀ ମନ୍ଦିରରେ ଗୀତଗୋବିନ୍ଦ ସେବା ବିଧିବଧ ନୀତିକୁ ଅନେକ ଗବେଷକ, ବିଦ୍ୱାନ, ବହୁପ୍ରକାର ବର୍ଣ୍ଣନା କରି ପ୍ରକାଶ କରିଛନ୍ତି। ପୁରୀ ମନ୍ଦିର ପତ୍ରିକାରେ ମଧ୍ୟ ଏ ପ୍ରକାର ଗୀତଗୋବିନ୍ଦ ସେବା ବା ମାହାରୀ ସେବା ଉପରେ ଅନେକ ସନ୍ଦର୍ଭ ଗବେଷକ ମାନଙ୍କର ରହିଛି ତେବେ କୋକିଳପ୍ରଭା ଦେବଦାସୀଙ୍କ ଦେହାନ୍ତ ପରେ ଏ ଗୀତଗୋବିନ୍ଦ ସେବା ବନ୍ଦ ହୋଇଯାଇଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା, ଏବେ ଶ୍ରୀ ମନ୍ଦିର ସଂସ୍କାର ପାଇଁ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କଲାପରେ ଏବଂ ରାଜ୍ୟସରକାର ମନ୍ଦିରକୁ ନେଇ ନାନା ପ୍ରକାର ପୁନଃଉର୍ଦ୍ଧାର କାର୍ଯ୍ୟ ହାତକୁ ନେଇଥିବା ବେଳେ ଜଗନ୍ନାଥ ମନ୍ଦିର ପ୍ରଶାସନ, ଗଜପତି ମହାରାଜ, ଗୋବର୍ଦ୍ଧନ ପୀଠର ମାନନୀୟ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କର ପୂରାତନ ବିଧି ବ୍ୟବସ୍ଥା ପୁନଃ ପ୍ରଚଳନ ହେଉନାହିଁ କାହିଁକି ବୋଲି ନବ ବର୍ଷରେ ଶ୍ରୀ ମନ୍ଦିରର ରୂପରେଖକୁ ନେଇ ବହୁ ଭକ୍ତ ଆନନ୍ଦପ୍ରକାଶ କରିଥିଲାବେଳେ, ଏ ଗୀତଗୋବିନ୍ଦ ସେବାକୁ ଶ୍ରୀ ମନ୍ଦିରରେ ପୁନଃ ପ୍ରଚଳନ ନେଇ ସ୍ୱର ଉଠାଇଲେଣି, ଓଡିଶା ଆଭିଲେଖାଗାର ରେ ସୁରକ୍ଷିତ ଶ୍ରୀ ୧୮୦୩ ର ପ୍ରଥମ ଇଂରେଜ କଲେକ୍ଟର ସିଂ.ଗ୍ରୋମ ଙ୍କ ବୀବରଣୀରେ ଗୀତଗୋବିନ୍ଦ ସେବା ଏକ ଚିରାଚରିତ ପାରମ୍ପାରିକ ନୀତି ବୋଲି ଉଲ୍ଲେଖ ଅଛି, ଜଗନ୍ନାଥବଲ୍ଲଭ ମଠ ଓ ରାଘବ ମଠ ଉପରେ ଏହି ଗୀତଗୋବିନ୍ଦ ଗାୟନ ସେବା ନ୍ୟସ୍ତ କରାଯାଇଥିଲା, ଆଶାକରାଯାଏ ଓଡିଶାର ଜଗନ୍ନାଥ ଭକ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ନିଶ୍ଚୟ ଦୃଷ୍ଟି ଦେବେ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮