Odiapua.com

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୨୯ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଇଛାପୁରସ୍ଥିତ ଯାତ୍ରୀ ନିବାସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ରାସ୍ତା ଓ କୋଠାବାଡି ନମ୍ବର-୧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ କ୍ଷୀରୋଦ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ, ତହସିଲଦାର ହେମଲତା ବାହାଲିଆ, ବିଦ୍ୟୁତ ବିଭାଗର ଏସଡିଓ ଦେବେନ୍ଦ୍ର ସାହୁ, କେନ୍ଦ୍ରାପଡା ପୌର ପରିଷଦର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ନିଆଯାଇଥିବା ପୂର୍ବ ନିଷ୍ପତ୍ତିଗୁଡିକର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସହରରୁ ବର୍ଷାଜଳ ନିଷ୍କାସନ, ବଡଦାଣ୍ଡରେ ଜମି ରହିଥିବା ଘରୋଇ ଲୋକମାନଙ୍କ ବାଲି ଓ ବଜୁରୀକୁ ହଟାଇବା, ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର କରିବା, ରଥର ଉପଯୁକ୍ତତା ପ୍ରମାଣ ପତ୍ର, ରାସ୍ତାଘାଟ ମରାମତି, ନୀରବିଛିନ୍ନ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ସିସିଟିଭି ମାଧ୍ୟମରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତର୍ଜମା କରାଯିବା ଓ ଜୁଲାଇ ୧ରୁ ୩ତାରିଖ ଏବଂ ୯ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସହରରେ ଏକ ପାଖିଆ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାସ୍ତା ଓ କୋଠାବାଡି ବିଭାଗର ଏସ୍‌ଡିଓ ନିହାର ରଞ୍ଜନ ମାଝୀ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ରମଣ କୁମାର ଦାସ, ସହକାରୀ ଅଗ୍ନିଶମ ଅଧିକାରୀ ଅଜୟ ମୁଦୁଲି, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।