Odiapua.com

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ଭଦ୍ରକସ୍ଥ ଶ୍ରୀ ବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିମ୍ନ ପ୍ରସ୍ତାବମାନ ଗୃହିତ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ସଂଗୃହୀତ ଦାରୁରେ ବିଗ୍ରହ ନିର୍ମାଣ କରାଯାଇଥାଏ ଓ ଅବଶିଷ୍ଟ ଦାରୁ ଅଂଶକୁ କୋଇଲି ବୈକୁଣ୍ଠରେ ଯଥାବିଧି ସଂଗୃହିତ କରି ରଖାଯାଇଥାଏ। ଏହି ଅବଶିଷ୍ଟାଂଶ ଦାରୁ ଦୀଘାରେ ନିର୍ମିତ ମନ୍ଦିରକୁ କିପରି ଗଲା ଓ କିଏ ନେଲେ ଏ ସମ୍ପର୍କରେ ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦିଘାରେ ନିର୍ମିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଥିବା ସ୍ଥାନର ନାମ “ଜଗନ୍ନାଥ ଧାମ” ନାମିତ କରି ଲୋକଲୋଚନକୁ ଆଣିବାର ଆବଶ୍ୟକତା ଓ ଯଥାର୍ଥତା କ’ଣ ଓ କାହିଁକି କରାଯାଇଛି। ଆମ ଭାରତରେ ଚାରିଗୋଟି ଧାମ ଆବାହମାନ କାଳରୁ ପ୍ରସିଦ୍ଧି ଲାଭ କରିଛି। ଅନ୍ୟାନ୍ୟ କେତେ ସ୍ଥାନରେ ଧାମ ଶବ୍ଦ ପ୍ରୟୋଗ କରାଯାଇଥିଲେ ହେଁ ସେ ସ୍ଥାନର ନାମକୁ ଶଂଷ୍ଳିଷ୍ଟ କରାଯାଇଛି। ଏ କ୍ଷେତ୍ରରେ ଜଗନ୍ନାଥ ନାମକୁ ପ୍ରୟୋଗ କରିବା ଦ୍ୱାରା ପୁରୀ ଶ୍ରୀକ୍ଷେତ୍ରର ପର୍ଯ୍ୟଟନ ଶିଳ୍ପକୁ ବ୍ୟାଘାତ କରିବାକୁ ଉଦ୍ଦେଶ୍ୟ ନାହିଁତ! ତେଣୁ ଶ୍ରୀ ଜଗନ୍ନାଥ ନାମକୁ ଧାମ ପୂର୍ବରୁ ଉଚ୍ଛେଦ କରାଯାଉ। ଏ କ୍ଷେତ୍ରରେ ଓଡ଼ିଶା ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିକାର ସମିତି ଦୃଢ଼ ଦାବୀ କରୁଅଛି। ଏହି ବୈଠକରେ ଆବାହକ ସେବକ ଶ୍ରୀ ଶରତ କୁମାର ସାହୁ, ସହ ଆବାହକ ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ଶ୍ରୀ ଲକ୍ଷ୍ମୀଧର ଖଟୁଆ, ଶ୍ରୀ ଗୋପବନ୍ଧୁ ମିଶ୍ର ଓ ବରିଷ୍ଠ ଉପଦେଷ୍ଟା ଶ୍ରୀ ସନ୍ତୋଷ କୁମାର ଦାଶ ସମେତ ବହୁ ସଦସ୍ୟ ଯୋଗଦାନ କରିଥିଲେ।