Odiapua.com

ଶ୍ରୀ କ୍ଷେତ୍ରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଗଜାନନଙ୍କ ପୂଜା ଅନୁଷ୍ଠିତ

ପୁରୀ ୧-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, କ୍ଲବ, ପାଠାଗାର ଓ ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ କୋଭିଡ୍ କଟକଣା ନ ଥିବା ଯୋଗୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଗଜାନନଙ୍କର ପୂଜାର୍ଚ୍ଚନା ପାଳିତ ହୋଇଥିଲା। ପ୍ରତ୍ୟୁଷରୁ ପିଲାମାନେ ସ୍ନାନ ସାରି ନବବସ୍ତ୍ର ପରିଧାନ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଗଜାନନ ଙ୍କୁ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମନ୍ଦିର ବେଢ଼ା ମଧ୍ୟରେ ଥିବା ଗଣେଶଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଛାତ୍ର ଛାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗି ରହିଥିଲା। ସିଂହଦ୍ଵାର ଠାରୁ ଶରଧାବାଲିର ଦୁଇ ପାର୍ଶ୍ଵ ଓ ବିଭିନ୍ନ ଗଳିକନ୍ଦିରେ ଶତାଧିକ ଗଜାନନ ମୂର୍ତ୍ତିଙ୍କର ପୂଜା ଆରମ୍ଭ ହୋଇଛି। ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ, ସନ୍ତୋଷୀ ଇଂରାଜୀ ମିଡିୟମ୍ ସ୍କୁଲ, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ସମ୍ ସସ୍ କମ୍ପ୍ୟୁଟର ଅନୁଷ୍ଠାନ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଭିତରେ ପୂଜା ପାଳିତ ହୋଇଥିଲା। ଗଜାନନଙ୍କ ପୂଜା ସହରର ଏକ ପ୍ରମୁଖ ପୂଜା ଭାବେ ପାଳିତ ହୋଇଛି।