Odiapua.com

ଶ୍ରୀହୀନ ହୋଇପଡ଼ିଛି ପୌରାଞ୍ଚଳର ଅମୃତ ପାର୍କ, କେବେ ଫେରିବ ପାର୍କର ଅପରୂପ ସୌନ୍ଦର୍ଯ୍ୟ?

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସ୍ଥିତିରେ ଲକଡାଉନ କଟକଣା ପାଇଁ ପୌରାଞ୍ଚଳର ସମସ୍ତ ଅମୃତ ପାର୍କ ଶୂନଶାନ୍। ସକାଳେ ପ୍ରାତ ଭ୍ରମଣ ପାଇଁ କେହି ଆସୁ ନାହାନ୍ତି କିମ୍ବା ଅପରାହ୍ନରେ ପିଲାମାନଙ୍କ ଖେଳକୁଦ ଦେଖିବାକୁ ମିଳୁନି। ସମସ୍ତ ପାର୍କର ମୁଖ୍ୟ ଫାଟକରେ ତାଲା। ଫଳରେ ଶ୍ରୀହୀନ ହୋଇପଡ଼ିଛି ପୌରାଞ୍ଚଳର ସମସ୍ତ ଅମୃତ ପାର୍କ। ଯୁଆଡ଼େ ଅନାଇଲେ ଅନାବନା ଘାସ। ଲକ୍ଷ ଲକ୍ଷ ଟଙ୍କାରେ ଲଗାଯାଇଥିବା ଘାସର ଗାଲିଚା ଲୁଚି ଗଲାଣି। ଘାସ ଗାଲିଚା ଉପରେ ଦେଶୀ ମୂଥାର ବଣ। ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ବହୁ ସୁନ୍ଦର ଗଛ ମରିବାକୁ ବସିଲେଣି। ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ଆଲୋକ ବ୍ୟବସ୍ଥା ଅଚଳ ଓ ପିଲାମାନଙ୍କ ଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ମନୋରଂଜନର ମାଧ୍ୟମରେ କଳଙ୍କି ଲାଗିବାକୁ ବସିଛି। ଲକଡାଉନ କଟକଣା ପାଇଁ ପାର୍କ ଏବେ ଖାଁ ଖାଁ ଲାଗୁଛି। ମୋଟାମୋଟି ଭାବରେ ପୌରାଞ୍ଚଳର ସମସ୍ତ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାବେଳେ, ଏହାର ରକ୍ଷଣାକ୍ଷେଣ ଦିଗରେ ପୌର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଉଦାସୀନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସ୍ଥାନ ପାଇଥିଲା ଭଦ୍ରକ ସହର। ସହରର ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ ଯୋଗାଣ, ଡେନେଜ ବ୍ୟବସ୍ଥା ସମେତ ବିଭିନ୍ନ ମୌଳିକ ଆବଶ୍ୟକତା ଉପରେ ଏହି ଯୋଜନାରେ ପ୍ରାଥମିକତା ଦିଆ ଯାଇଥିଲା। ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ଯୋଗାଣ ସମେତ ଅନ୍ୟ ସମସ୍ତ ପ୍ରସଙ୍ଗ ଏବେ ସହରବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ପୌରପାଳିକା ପକ୍ଷରୁ ପୌରାଞ୍ଚଳରେ ୫ଟି ପାର୍କ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ତେବେ ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆ, ୬ନମ୍ବର ୱାର୍ଡ଼ ମଠସାହି ଓ ୩୦ ନମ୍ବର ୱାର୍ଡ଼ ଗରଦପୁର ଠାରେ ୩ଟି ଅମୃତ ପାର୍କ ଲୋକାର୍ପିତ ହୋଇସାରିଛି। ଏହି ତିନିଟି ପାର୍କ ପାଇଁ ପ୍ରାୟ ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ୯ନମ୍ବର ୱାର୍ଡ଼ ବାଗୁରାଇ ଓ ୧୫ ନମ୍ବର ୱାର୍ଡ଼ କୁଆଁସ ଠାରେ ଏବେ ମଧ୍ୟ ଦୁଇଟି ଅମୃତ ପାର୍କ ନିର୍ମାଣାଧିନ ରହିଛି। କିନ୍ତୁ ଯେଉଁ ଅଢ଼େଇ କୋଟି ଟଙ୍କାର ତିନିଟି ପାର୍କ ଲୋକାର୍ପିତ ହୋଇଛି ସେଗୁଡ଼ିକ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଲକ୍‌ଡାଉନ ପାଇଁ ସରକାର ପାର୍କ, ଜିମନାସିୟମ ଠାରୁ ଆରମ୍ଭ କରି ଥିଏଟର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଟକଣା ଜାରୀ କରିବା ପରେ ଏହି ୩ଟି ପାର୍କ ବନ୍ଦ ରହିଛି। ତେବେ କରୋନା କଟକଣା ପାଇଁ ପାର୍କ ବନ୍ଦ ରହିଥିଲେ ମଧ୍ୟ, ଏସମସ୍ତ ପାର୍କର ରକ୍ଷଣାବେକ୍ଷଣ ଦିଗରେ ପୌର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି। ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପୌରପାଳିକାର ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କର। କିନ୍ତୁ ଉଭୟ ଯନ୍ତ୍ରୀ ଏଦିଗରେ ଆଦୌ ଧ୍ୟାନ ଦେଉ ନାହାନ୍ତି। ଫଳରେ ବହୁ ଲକ୍ଷ ଟଙ୍କା ବ୍ୟୟରେ ବିଛାଯାଇଥିବା ଘାସ ଗାଲିଚା ନଷ୍ଟ ହେବାକୁ ବସିଛି। ସେହିପରି ପାର୍କର ଆଲୋକ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ପିଲାଙ୍କ ଖେଳିବା ଉପକରଣ ପର୍ଯ୍ୟନ୍ତ ନଷ୍ଟ ହେବାରେ ଲାଗିଛି। ଏସମସ୍ତ ପାର୍କ କାର୍ଯ୍ୟକ୍ଷମ ହେବା ପରେ ଏଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନିୟମିତ କର୍ମଚାରୀ ନିୟୋଜିତ ଥିଲେ। ଏପରିକି ସିକ୍ୟୁରିଟି ଗାର୍ଡ଼ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ସମୟରେ ସିକ୍ୟୁରିଟି ଗାର୍ଡ଼ଙ୍କୁ ପୌର କର୍ତ୍ତୃପକ୍ଷ ଅନ୍ୟତ୍ର ନିୟୋଜିତ କରିଥିବାବେଳେ, ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଦେଖା ମିଳୁ ନାହିଁ। କେବଳ ଅର୍ଥ ଆସିଛି ବୋଲି ଖର୍ଚ୍ଚ କରିଦେଇ ପାର୍କ ନିର୍ମାଣ କରିଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ହେଉଛି ଏହାର ରକ୍ଷଣାବେକ୍ଷଣ। କାରଣ କରୋନା ସ୍ଥିତିରେ ଉନ୍ନତି ଆସୁଛି। କ୍ରମେ ବିଭିନ୍ନ ସ୍ଥାନରେ ଥବବା କଟକଣାକୁ କୋହଳ କରାଗଲାଣି। ଆଜି ନଖୋଲିଲେ ବି କାଲି ପାର୍କ ପୁଣି ଖୋଲିବ। କିନ୍ତୁ ପାଖାପାତ୍କ କୋଟିଏ ଟଙ୍କାରେ ନିର୍ମିତ ପାର୍କର ରକ୍ଷଣାବେକ୍ଷଣ ଅତ୍ୟନ୍ତ ଜରୁରୀ। ସେହିପରି ଚରମ୍ପା ରହଣିଆ ଅମୃତ ପାର୍କ ନିକଟରେ ଏକ ପୁରାତନ ବିଶାଳ ପୋଖରୀର ପୁନରୁଦ୍ଧାର କରାଯାଇ ୧୫ଲକ୍ଷ ଟଙ୍କା ବିନିମୟରେ ଅତ୍ୟାଧୁନିକ ଆଲୋକୀକରଣ ସହ ବୋଟିଂ କ୍ଳବ ପ୍ରତିଷ୍ଠା କରାଯାଇଥିଲା। ଯାହାକି ପୁନର୍ବାର ଏବେ ପରିତ୍ୟକ୍ତ ହୋଇ ଦଳ ଗଡ଼ିଆରେ ପରିଣତ ହେବାକୁ ଯାଉଛି। ଏସମସ୍ତ ଦିଗ ପ୍ରତି ପୌର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଉଦାସୀନ ରହୁଥିବା ଅଭିଯୋଗ ହେଉଛି। ଅପରପକ୍ଷେ ୬ନମ୍ବର ୱାର୍ଡ଼ର ଦକ୍ଷୀଣକାଳୀ ଅମୃତ ପାର୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର ଯନ୍ତ୍ରୀ ଲାଲା ଦେବାଶିଶ ରାୟଙ୍କ କହିବା କଥା ହେଲା, ପାର୍କ ପାଇଁ ଜଣେ ମାତ୍ର ମାଳି ନିଯୁକ୍ତି ପାଇଛନ୍ତି। ସେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ମିଳୁଥିବା ସମୟରେ ସେ ଯେତିକି ପାରୁଛନ୍ତି ପାର୍କ କାର୍ଯ୍ୟ କରୁଛନ୍ତି। ତଥାପି ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ପାର୍କ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇବ ବୋଲି ଯନ୍ତ୍ରୀ ଶ୍ରୀ ରାୟ କହିଛନ୍ତି।