Odiapua.com

ଶ୍ରୀହୀନ ହେଉଛି ଭଦ୍ରକର ଲାଇଫ ଲାଇନ୍‌, ସୁରକ୍ଷା ପାଇଁ ମାଷ୍ଟର ପ୍ଲାନ ଲୋଡ଼ା

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଲାଇଫ ଲାଇନ ସାଳନ୍ଦୀ ନଦୀ। ଏହି ନଦୀକୁ ନେଇ ଗର୍ବ କରନ୍ତି ଜିଲ୍ଲାବାସୀ। ଚାଷ ଜମିକୁ ଜଳସେଚିତ କରିବା ସହ ଶିଳ୍ପ ସଂସ୍ଥାକୁ ଆବଶ୍ୟକ ପରିମାଣର ପାଣି ଯୋଗାଇ ଚାଲିଛି ଏହି ନଦୀ। ଉକ୍ତ ନଦୀର ସଂସ୍କାର ପାଇଁ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଆରମ୍ଭ କରିଥିଲେ ସାଳନ୍ଦୀ ସଂସ୍କାର ଯୋଜନା। ଏହି ଯୋଜନାରେ ବିଭିନ୍ନ ପର୍ଯ୍ୟାୟରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ସାଳନ୍ଦୀର ଭାଗ୍ୟ ପରିବର୍ତ୍ତନ ସମ୍ଭବ ହୋଇନାହିଁ। ଏବେ ଏହି ଯୋଜନା ପାଇଁ ଅନୁଦାନ ଆସୁନଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଦଳ ସଫା ପାଇଁ ବହୁ ଅର୍ଥ ବିନିଯୋଗ ହେଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହାର ସୁଫଳ ମିଳି ପାରୁ ନାହିଁ। ଦିନକୁ ଦିନ ସାଳନ୍ଦୀ ଶ୍ରୀହୀନ ହେବାରେ ଲାଗିଛି। ବିଶେଷକରି ଜଳସେଚନ ବିଭାଗର ଆନ୍ତରିକତା ଅଭାବରୁ ସାଳନ୍ଦୀର ଏପରି ସ୍ଥିତି ସୃଷ୍ଟି ହୋଇଛି। ଯନ୍ତ୍ରୀ, ଠିକାଦାର ଓ ନେତାଙ୍କ ମିଳିତ ମଧୁ ଚନ୍ଦ୍ରିକାରେ ଉକ୍ତ ନଦୀ ସଂସ୍କାର ପାଇଁ ଅର୍ଥ ବାଟମାରଣା ହୋଇ ଚାଲିଛି। ଗତ ବର୍ଷ ଜଳସେଚନ ବିଭାଗ ପକ୍ଷରୁ ସାଳନ୍ଦୀ ନଦୀରେ ଦଳ ସଫା ନାମରେ ୧୩ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। କିନ୍ତୁ କେଉଁ ସ୍ଥାନରେ ଦଳ ସଫା ହେଲା ତାହାର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିଲା ନାହିଁ। ସମ୍ପୂର୍ଣ୍ଣ ଅର୍ଥ ବାଟମାରଣା ହୋଇଗଲା ବୋଲି ଅଭିଯୋଗ ହୋଇଥିଲା। କେବଳ ଗତ ବର୍ଷ ନୁହେଁ, ପ୍ରାୟ ପ୍ରତ୍ୟେକ ବର୍ଷ ଦଳ ସଫା ନାମରେ ଏହିପରି ବହୁ ପରିମାଣର ଅର୍ଥ ବ୍ୟୟ କରୁଛି ଜଳସେଚନ ବିଭାଗ।

ତେଣୁ ଏପରି ବ୍ୟବସ୍ଥା ମଧ୍ୟରେ ସିଧାସଳଖ ଠିକାଦାର ଯନ୍ତ୍ରୀ ଚର୍ଚ୍ଚାର ପରିଧି ମଧ୍ୟକୁ ଆସୁଥିବାବେଳେ, ନେତା ଦୃଷ୍ଟିର ଆଢ଼ୁଆଳରେ ରହି ଯାଉଛନ୍ତି। ତେବେ ସତ୍ତା ହରାଇବାକୁ ଯାଉଥିବା ସାଳନ୍ଦୀର ପୁନରୁଦ୍ଧାର ପାଇଁ ସାଳନ୍ଦୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଗତ ବର୍ଷମାନରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ମଞ୍ଚର କାର୍ଯ୍ୟକଳାପ କେବଳ କେତେକ ବୈଠକ, ଧାରଣା ମଧ୍ୟରେ ସିମୀତ ରହି ଯାଇଥିଲା। ଏବେ ଆଉ ମଞ୍ଚ ପକ୍ଷରୁ ସାଳନ୍ଦୀର ସୁରକ୍ଷା ପାଇଁ ସେପରି ତତ୍ପରତା ଦେଖିବାକୁ ମିଳୁ ନାହିଁ। ତଥାପି ଏହି ମଞ୍ଚ ଏକମାତ୍ର ସାମାଜିକ ସଂଗଠନ ଯିଏକି ବିଲୁପ୍ତପ୍ରାୟ ସାଳନ୍ଦୀର ପୁନରୁଦ୍ଧାର ପାଇଁ ଉଦ୍ୟମ ଚଳାଇ ଆସିଛି। ବର୍ତ୍ତମାନ ସମୟରେ ସାଳନ୍ଦୀ ଏକ ଦଳ ଗଡ଼ିଆର ଭ୍ରମ ସୃଷ୍ଟି କରୁଛି। ଯୁଆଡ଼େ ଅନାଇଲେ ବିଲାତି ଦଳ। ଯାହାକି ସ୍ୱାଭାବିକ୍ ଜଳ ପ୍ରବାହକୁ ପ୍ରଭାବିତ କରୁଛି। ଅତୀତରେ ଏହି ବିଲାତି ଦଳ ପାଇଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ସାଳନ୍ଦୀର ପୁନରୁଦ୍ଧାର ଓ ଏହାକୁ ବଞ୍ଚାଇବାକୁ ଏକ ମାଷ୍ଟରପ୍ଲାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉକ୍ତ ମଞ୍ଚର ନେତୃତ୍ୱ ନେଉଥିବା ପ୍ରଭାକର ପାଢ଼ୀ ଓ ପ୍ରମୋଦ ରାୟ। ସେ ଯାହାବି ହେଉ ଏବେ ସାଳନ୍ଦୀ ପ୍ରତି ନୂଆ ବିପଦ ସୃଷ୍ଟି ହୋଇଛି। କାରଣ ଭଦ୍ରକର ଏକମାତ୍ର ଶିଳ୍ପ ସଂସ୍ଥା ଫେକର କମ୍ପାନୀକୁ ବେଦାନ୍ତ ଅଧିଗ୍ରହଣ କରିବା ପରେ ଚାର୍ଜକ୍ରୋମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୭୫ହଜାର ଟିପିଏ ରୁ ୧ଲକ୍ଷ ୪୫ହଜାର ଟିପିଏକୁ ବୃଦ୍ଧି କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ପରିବେଶ ମଂଜୁରି ପୂର୍ବରୁ ଜନଶୁଣାଣି ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀରେ କୌଣସି ପ୍ରକାର ବିରୋଧାଭାସ ଦେଖିବାକୁ ମିଳି ନାହିଁ। କିନ୍ତୁ ଉକ୍ତ ପ୍ଲାଣ୍ଟର ସଂପ୍ରସାରଣ ପାିଁ ସାଳନ୍ଦୀ ନଦୀ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ମଞ୍ଚ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସାଳନ୍ଦୀ ନଦୀ ଓ ଭୂତଳ ଜଳ ଉପରେ ବେଦାନ୍ତ ଫେକର ନିର୍ଭର ନକରି ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିବା ଭଦ୍ରକରେ ହେଉଥିବା ବର୍ଷାଜଳକୁ ବୈଜ୍ଞାନିକ ପଦ୍ଧତିରେ ସଂଚୟ କରାଯାଇ ତାହା କମ୍ପାନୀ ସ୍ୱାର୍ଥରେ ବିନିଯୋଗ କରାଯିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଯଦି ବାସ୍ତବରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥାନ୍ତି, ତେବେ ସାଳନ୍ଦୀର ପୁନରୁଦ୍ଧାର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ମଞ୍ଚ ପକ୍ଷରୁ ମତ ପ୍ରକାଶ ପାଇଛି।