Odiapua.com

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା : ସାରା ଦେଶରେ କର୍ଫ୍ୟୁ, ହିଂସାତ୍ମକ ସଂଘର୍ଷରେ ଜଣେ ସାଂସଦଙ୍କ ମୃତ୍ୟୁ

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଶ୍ରୀଲଙ୍କାରେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସୋମବାର ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ କାର୍ଯ୍ୟାଳୟ ବାହାରେ ସରକାରଙ୍କର ସମର୍ଥକ ଗୋଷ୍ଠୀଙ୍କ ଦ୍ୱାରା ବିରୋଧକାରୀଙ୍କ ଉପରେ ଆକ୍ରମଣ କରିବା ପରେ ରାଜଧାନୀ କଲମ୍ବୋରେ ସେନା ମୁତୟନ କରାଯାଇଛି। ଏହି ଆକ୍ରମଣରେ ଜଣେ ଶାସକ ଦଳର ସାଂସଦଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୭୮ ଜଣ ଆହତ ହୋଇଛନ୍ତି।

ଦେଶରେ ଚାଲିଥିବା ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ଗଠନ ପାଇଁ ଚାପ ପଡ଼ିବା ପରେ ମହିନ୍ଦା ରାଜପକ୍ଷେଙ୍କର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସଙ୍କେତ ମିଳିଥିଲା। ଏହାପରେ ସୋମବାର ଦିନ ଏହି ହିଂସା ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶ୍ରୀଲଙ୍କାରେ କର୍ଫ୍ୟୁ ଲାଗୁ କରାଯାଇଛି। ଆଇନ ଶୃଙ୍ଖଳା ରକ୍ଷା କରିବାରେ ସହାୟତା କରିବାକୁ ସେନାକୁ ନିୟୋଜିତ କରାଯାଇଛି।

୧୯୪୮ ମସିହାରେ ବ୍ରିଟେନରୁ ସ୍ୱାଧୀନତା ପାଇବା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୁଖ୍ୟତଃ ବୈଦେଶିକ ମୁଦ୍ରା ଅଭାବ ହେତୁ ଏହି ସଙ୍କଟ ଉପୁଜିଛି। ଯାହାର ଅର୍ଥ ହେଉଛି ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନର ଆମଦାନୀ ପାଇଁ ଦେଶ ଅସମର୍ଥ ହୋଇଛି। ସରକାର ଆମଦାନୀ ପାଇଁ ଅର୍ଥ ସରିଯିବାରୁ ଏପ୍ରିଲ ୯ ତାରିଖରେ ହଜାର ହଜାର ବିକ୍ଷୋଭକାରୀ ଶ୍ରୀଲଙ୍କାରେ ରାସ୍ତାକୁ ଓହ୍ଲାଇଛନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହେଉଛି। ଏପରିକି ନିଜ ଦଳ ଶ୍ରୀଲଙ୍କା ପୋଦୁଜାନା ପେରାମୁନା (SLPP) ରୁ ଇସ୍ତଫା ଦେବା ପାଇଁ ମହିନ୍ଦା ରାଜପକ୍ଷେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ।