ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ ଓ ପରମ୍ପରାର ପ୍ରତୀକ ଶ୍ରୀରାମ ନବମୀ ମହୋତ୍ସବ ପାଳନ ନେଇ ଗେଲପୁରସ୍ଥିତ ନୂଆ ସର୍କିଟ୍ ହାଉସ୍ରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସହ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ଆଡଭୋକେଟ୍ ତୁଷାର ଦାସ, ବିଦ୍ୟାଧର ସାହୁ, ଗୋବିନ୍ଦ ରାଉତ, ଶରତ ପଢିଆରୀ ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ହେବାକୁ ଥିବା ଏହି ପବିତ୍ର ଗଣପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମହିଳା କଳସ ଶୋଭାଯାତ୍ରା ଓ ମହାପ୍ରଭୁ ଶ୍ରୀରାମଙ୍କ ମେଢ ଶୋଭାଯାତ୍ରାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ଓ ବିଶୃଙ୍ଖଳା ନଘଟେ, ଏଥିପାଇଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସାମାଜିକ ଗଣମାଧ୍ୟମ ଗୁଡିକର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବା ସହ ସିସିଟିଭି ଓ ବିପୁଳ ପରିମାଣର ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରା) ବ୍ୟବହାର କରିବା ପାଇଁ କହିଥିଲେ। ଯାହାକି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ନଜରରେ ରହିବ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ। ଏହାବ୍ୟତୀତ ଶୋଭାଯାତ୍ରା ରୁଟ୍ ଗୁଡିକର ସମ୍ବେଦନଶୀଳ ଛକମାନଙ୍କରେ ବିପୁଳ ସଂଖ୍ୟାରେ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି। ଏଥିପାଇଁ ୫ କଂପାନୀ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ) ନିୟୋଜିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ସଦର ମହକୁମା ବ୍ୟତୀତ ବିଭିନ୍ନ ବ୍ଲକ୍ରୁ ଆସୁଥିବା ମେଢଗୁଡିକର ଶୋଭାଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସ୍ ମୁତୟନ କରିବାକୁ କୁହାଯାଇଛି। ସେହିପରି ସନ୍ଧ୍ୟା ପରେ ଶୋଭାଯାତ୍ରା ସମୟରେ ଆସ୍କା ଲାଇଟ୍ ପରିବର୍ତେ ଡିଜେ ମାଧ୍ୟମରେ ଆଲୋକ ବ୍ୟବସ୍ଥା ଜାରି ରଖିବାକୁ କହିଥିଲେ। ଶୋଭାଯାତ୍ରା ରୁଟ୍ରେ ଝୁଲିପଡିଥିବା ବିଦ୍ୟୁତ୍ ତାରକୁ ଉପରକୁ ଉଠାଇବା ସହ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥାକୁ ସବୁବେଳେ ପାଇଁ ଜାରି ରଖିବାକୁ ଟିପିଏନଓଡିଏଲ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୋଭାଯାତ୍ରା ଯାଉଥିବା ରୁଟ୍ର ଉଭୟ ପାଶ୍ୱର୍ରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ କାହାଣୀ ଗ୍ରାଫିକ୍ସ ଭାବେ ପ୍ରଦର୍ଶିତ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି। ଏହାବ୍ୟତୀତ ଗବସାହିସ୍ଥିତ ସାଳନ୍ଦୀ ନଦୀ ଘାଟରୁ ପାଣି ଉଠାଇବା ସ୍ଥାନର ଉନ୍ନତି ଓ ରାସ୍ତାର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଗଣଦୌଡରେ ଏଥର ରିଜର୍ଭ ପୁଲିସ୍ ବାହିନୀକୁ ସାମିଲ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ମେଢ ଶୋଭାଯାତ୍ରାକୁ ସୁନିୟନ୍ତ୍ରିତ କରିବା ପାଇଁ ନେହେରୁ ଷ୍ଟାଡିୟମ୍, ନ୍ୟୁ ବସ୍ଷ୍ଟାଣ୍ଡ ଓ ଗୋଶାଳା ଛକ ୩ଟି ସ୍ଥାନରେ ବିଭିନ୍ନ ଆଡୁ ଆସୁଥିବା ମେଢ ଗୁଡିକ ଏକତ୍ରିତ ହୋଇ ପରବର୍ତୀ ସମୟରେ ଶୋଭାଯାତ୍ରାରେ ବାହାରିବା ପାଇଁ ନିଷ୍ପତି ନିଆଯାଇଛି। ଏଥିପାଇଁ କାର୍ଯ୍ୟ ନିର୍ଘଂଟ ସ୍ଥିର କରାଯାଇଛି। ଷ୍ଟାଡିୟମ୍ରୁ ଅପରାହ୍ନ ୩.୩୦ ମିନିଟ୍ ଓ ଗୋଶାଳା ଓ ନ୍ୟୁ ବସ୍ଷ୍ଟାଣ୍ଡରୁ ୪.୧୫ ରୁ ୪.୩୦ ମିନିଟ୍ ମଧ୍ୟରେ ଶୋଭାଯାତ୍ରା ବାହାରିବ। ଶ୍ରୀରାମ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଏହି ମହୋତ୍ସବ ପାଇଁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୮ ତାରିଖରେ ମାତୃଭୂମି ପାଇଁ ଗଣଦୌଡ, ୧୯ ତାରିଖରେ ହିନ୍ଦୁ ନବବର୍ଷ ପାଳନ, ୨୧ ରୁ ୨୫ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୫ ରେ କଳସ ଶୋଭାଯାତ୍ରା, ୨୬ ରେ ୧୦୮ ହନୁମାନ ଚାଳିଶା ପାଠ, ୨୭ ରେ ନଗର ସଂକୀର୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବାପାଇଁ ବୈଠକରେ ନିଷ୍ପତି ନିଆଯାଇଛି।