Odiapua.com

ଶ୍ରୀମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ପୃଷ୍ଠଭୂମିର ନିଚ୍ଛକ ପ୍ରମାଣ-ଧର୍ମେନ୍ଦ୍ର ପ୍ରଧାନ

୩୬ତମ ‘ଇଣ୍ଡିଆନ୍ ଇଞ୍ଜିନିୟରିଂ କଂଗ୍ରେସ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ପ୍ରାଚୀନ ସଭ୍ୟତାରେ ଗଠନମୂଳକ ଇଞ୍ଜିନିୟରିଂ, ୱାଟର ମ୍ୟାନେଜମେଂଟ୍‌, ସାମୁଦ୍ରିକ ଇଞ୍ଜିନିୟରିଂ ଇତ୍ୟାଦିର ବୈଜ୍ଞାନିକ ପ୍ରମାଣ ରହିଛି
– ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ଲକ୍ଷ୍ୟ ହାସଲରେ ଇଞ୍ଜିନିୟରଙ୍କ ରହିବ ବଡ ଭୂମିକା
– ଇଞ୍ଜିନିୟରିଂ ଶିକ୍ଷା କେବଳ ଡିଗ୍ରୀ ପ୍ରଦାନରେ ସୀମିତ ରହିବା ଉଚିତ୍ ନୁହେଁ
– “ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବା ହେଉ ଆମର ଲକ୍ଷ୍ୟ
-ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୨୭ (ଓଡ଼ିଆ ପୁଅ) – ଓଡିଶାରେ ଶତାବ୍ଦୀ ଶତାବ୍ଦୀ କାଳରୁ ଅବସ୍ଥାପିତ ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ପୃଷ୍ଠଭୂମିର ଏକ ନିଚ୍ଛକ ପ୍ରମାଣ ବୋଲି ସୋମବାର ୩୬ତମ ‘ଇଣ୍ଡିଆନ୍ ଇଞ୍ଜିନିୟରିଂ କଂଗ୍ରେସ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଜଣେ ସାଧାରଣ ନାଗରିକ ବି ଇଞ୍ଜିନିୟର। ଅତୀତରେ ଆମ ଭୂଖଣ୍ଡ ବୈଷୟିକ ଜ୍ଞାନକୌଶଳରେ ବିଶ୍ୱରେ ଆଦୃତ ଥିଲା। ପୂର୍ବରୁ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଓଡ଼ିଶାର କୋଣାର୍କ, ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର, ତାମିଲନାଡ଼ୁ ମଦୁରାଇର ମୀନାକ୍ଷୀ ମନ୍ଦିର ଏବଂ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ହିମାଳୟରେ ପ୍ରତିଷ୍ଠିତ ମନ୍ଦିର ଭଳି କାରୁକାର୍ଯ୍ୟମୟ ବିଶାଳ ନିର୍ମାଣକଳା ବୈଜ୍ଞାନିକ ଇଞ୍ଜିନିୟରିଂ ପୃଷ୍ଠଭୂମିର ପରିପ୍ରକାଶର ପ୍ରମାଣ, ଯାହା ବୈଷୟିକ ଶିକ୍ଷା ବା ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରତିପାଦିତ କରୁଛି। ଏସବୁ ଅନୁମୟ କଲେ ଆମର ପ୍ରାଚୀନ ସଭ୍ୟତାରେ ଗଠନମୂଳକ ଇଞ୍ଜିନିୟରିଂ, ୱାଟର ମ୍ୟାନେଜମେଂଟ୍‌, ସାମୁଦ୍ରିକ ଇଞ୍ଜିନିୟରିଂ ଇତ୍ୟାଦିର ବୈଜ୍ଞାନିକ ପ୍ରମାଣ ଅଛି। ଆମ ଦେଶରେ ପ୍ରଥମ ଥର ପାଇଁ ଉତ୍ପାଦନ ହୋଇଥିବା ଧାନ ଏବଂ ଧାନ ଚାଷ କରିବା ପାଇଁ ଯେଉଁ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ହୋଇଥିଲା, ତାହା ମଧ୍ୟ ଇଞ୍ଜିଂନିୟରିଂର ଏକ ବ୍ୟବହାରିକ ରୂପ।

ଦେଶରେ ନବସୃଜନ ଏବଂ ଆର୍ଥକ ବିକାଶ ତଥା ଆତ୍ମନିର୍ଭର ଭାରତ ଗଠନରେ ଇଞ୍ଜିନିୟରଙ୍କ ଭୂମିକା ଉପରେ ଆଲୋକପାତ ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂତନତ୍ୱ ଏବଂ ଷ୍ଟାର୍ଟଅପକୁ ଅଧିକ ପ୍ରୋତ୍ସାହିତ କରିବା, ଏମଏସଏମଇ ଭିତିକ ଉତ୍ପାଦନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା, ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ଲକ୍ଷ୍ୟ ହାସଲ ତଥା ଭାରତର ଇଞ୍ଜିନିୟରିଂ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର (ଭାରତ) ର ଅଧିକ ବଡ଼ ଭୂମିକା ରହିବ। ଇଞ୍ଜିନିୟରିଂ ଶିକ୍ଷା ଡିଗ୍ରୀ ପ୍ରଦାନରେ ସୀମିତ ରହିବା ଉଚିତ୍ ନୁହେଁ। ଶିକ୍ଷାଦାନ ପ୍ରକ୍ରିୟାରେ ଭାଷା ପ୍ରତିବନ୍ଧକ ଏବଂ ଆମର

ଇଞ୍ଜିନିୟରିଂ ସମ୍ପ୍ରଦାୟର ଦକ୍ଷତା ବୃଦ୍ଧି ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବାକୁ ହେବ। ଭାରତର ମୂଳ ସଂସ୍କୃତି “ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବାକୁ ପଡ଼ିବ।

ଦୀର୍ଘ ୩୪ ବର୍ଷ ପରେ ପ୍ରଣୟନ ହୋଇଥିବା ନୂଆ ଜାତୀୟ ଶିକ୍ଷା ନୀତି ଏ ସବୁ ଦିଗରେ କାର୍ଯ୍ୟ କରିବ। ଶିକ୍ଷାକୁ ଦକ୍ଷତା ସହ ଯୋଡ଼ାଯାଉଛି। ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏକବିଂଶ ଶତାବ୍ଦୀ ପାଇଁ ଆମର ଯୁବକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି ସବୁକୁ ଗୁରୁତ୍ୱ ଦିଆଯାଇଛି।

ଏହାବ୍ୟତିତ ନୂଆ ଜାତୀୟ ଶିକ୍ଷାନୀତି ସହିତ ସ୍ଥାନୀୟ ଭାଷା ଏବଂ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ପରିଚୟ ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବ ଏବଂ ଆମର ଇଞ୍ଜିନିୟରିଂ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ବୈଷୟିକ ଶିକ୍ଷା ମାତୃଭାଷାରେ ପଢିବା ଦ୍ୱାରା ପିଲାର ବୁଝିବା ଶକ୍ତି ବିକଶିତ ହୋଇ ମୌଳିକ ଜ୍ଞାନକୁ ପରିବର୍ଦ୍ଧିତ କରିଥାଏ। ବିକଶିତ ରାଷ୍ଟ୍ର ଜର୍ମାନ, ଚୀନ ଏହାର ସର୍ବୋତ୍କୃଷ୍ଟ ଉଦାହରଣ। ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଗଲେ ଶିକ୍ଷା କ୍ଷେତ୍ରରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ଏବଂ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବ। ଶିକ୍ଷା ଇକୋସିଷ୍ଟମରେ ସର୍ବବ୍ୟାପୀ ଏବଂ ସମାବେଶୀ ଶିକ୍ଷାର ଏହା ଏକ ସାମଗ୍ରିକ କଳ୍ପନା। ଏଆଇସିଟିଇ ଓ ଆଇଆଇଟି ଶିକ୍ଷାନୁଷ୍ଠାନ ମଧ୍ୟ ଏ ଦିଗରେ ସହଯୋଗୀ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।