Odiapua.com

ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗାରୁଜା ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ସୁନିଲ ବଂସଲ

ପୁରୀ ୪-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗା ରୁଜା ଘଟଣା ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂସଲ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଆସି ଘଟଣାର ସବିଶେଷ ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ପୋଲିସ ସିସିଟିଭିରୁ କିଛି ତଥ୍ୟ ସଂଗ୍ରହ କରିଛି। ସେହିପରି ରାତିରେ ଡ୍ୟୁଟିରେ ଥିବା ଜେଟିପିଙ୍କୁ ମଧ୍ୟ ଜେରା କରାଯାଇଛି। ଉଭୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି। ଏହା ପଛରେ ଥିବା ଵ୍ୟକ୍ତିଙ୍କୁ ଧାରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡିଶା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ। ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ। ଯେଉଁ ସ୍ଥାନରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲାଗିବ। ସେପଟେ ପୋଲିସ ଡିଜି ସୁନିଲ ବଂସଲ କହିଛନ୍ତି ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଆହୁରି ଅଧିକ ସିସିଟିଭି ଲାଗିବ। ତେବେ ରୋଷ ଘରେ ଚୁଲା ଭଙ୍ଗା ଘଟଣାରେ ପୋଲିସ ତଦନ୍ତ କରୁଛି। ଖୁବ ଶୀଘ୍ର ଏହା ପଛର କାରଣ ଓ କିଏ ଅଛି ପୋଲିସ ତାକୁ ଠାବ କରିବ। ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳା କୁ ଜମାବି ବରଦାସ୍ତ କରାଯିବନି।