Odiapua.com

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ୧୭ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ୧୫-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ବଜା ସ୍ଥାପନ ଓ ତୋରଣ ସ୍ଥାପନ ଅନୁଷ୍ଠିତ ହୋଇଥିଲା। ଆଜି ଅଖଣ୍ଡ ଦୀପ ସ୍ଥାପନ ସହ ପ୍ରତିଷ୍ଠା ଉତ୍ସବ ପାଇଁ ମହାଯଜ୍ଞ ଆରମ୍ଭ ହେବ। ୧୬ ତାରିଖରେ ମଧ୍ୟ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ। ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଦିନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ପରେ ଦିନ ୨ଟା ରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ। ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆସନ୍ତାକାଲି ଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମକୁ ସାରା ବିଶ୍ବବାସୀ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ, ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି।