Odiapua.com

  ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥଳୀ ନାଁ ପର୍ଯ୍ୟଟନ ସ୍ଥଳୀ?

*ଜଗନ୍ନାଥଙ୍କ ନୀତି କ’ଣ କଣ୍ଢେଇ ଖେଳ?
*ଗୋମାଂସ ଖାଉଛି କହି ମନ୍ଦିର ପ୍ରବେଶ ନେଇ ଯୁକ୍ତି କରିବା କେତେ ଦୂର ଠିକ୍?
ଭୁବନେଶ୍ୱର(ଦେବଦତ୍ତ ରଥ):ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କର ଏବେ କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।ଯାହାକୁ ନେଇ ବିଭିର୍ଣ୍ଣ ମହଲରେ ଏବେ ଚର୍ଚ୍ଚା ଆଲୋଚନା ଚାଲିଛି।ସେବାୟତ ମାନେ ଦାନ ଗ୍ରହଣ କରି ପାରିବେ ନାହିଁ ବୋଲି କିଛି ଦିନ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ।ଏବେ ପୁଣି ଆହୁରି ଦୁଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତାଙ୍କ ରାୟ ରଖିଛନ୍ତି।ଗୋଟିଏ ହେଲା ବଂଶାନୁକ୍ରମିକ ଭାବରେ ସେବାୟତ ମାନେ ନରହି ଯୋଗ୍ୟତା ଭିତ୍ତିରେ ରୁହନ୍ତୁ।ଏବଂ ଦୂତୀୟ ପ୍ରସ୍ତାବଟି ଅଣ ହିନ୍ଦୁ ମାନଙ୍କର ଶ୍ରୀମନ୍ଦିରରେ ପ୍ରବେଶ ହେଉ।
ତେବେ ଅନ୍ୟାନ୍ୟ ପ୍ରସଙ୍ଗ ଛାଡ଼ନ୍ତୁ,ଏଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଅଣ ହିନ୍ଦୁ ମାନଙ୍କର ଶ୍ରୀମନ୍ଦିରରେ ପ୍ରବେଶ।ତେବେ ପ୍ରଶ୍ନ ଉଠୁଛି କିଏ ସିଏ ଅଣହିନ୍ଦୁ ଯିଏ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି?କାହାର ଯାଚିକା ଉପରେ ସୁପ୍ରିମକୋର୍ଟ ଏ ପ୍ରସ୍ତାବ ଦେଇଛନ୍ତି?
ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥଳୀ ନାଁ ପର୍ଯ୍ୟଟନ ସ୍ଥଳୀ?ଶ୍ରୀମନ୍ଦିର କ’ଣ ଗୋଟେ ମିଉଜିୟମ ନାଁ ଆସ୍ଥାର ସ୍ଥାନ?ଯଦି ଜଣଙ୍କର ଆସ୍ଥା ନାହିଁ ତେବେ ସେ ଶ୍ରୀମନ୍ଦିରକୁ ଯିବ ବା କାହିଁକି?ଶ୍ରୀମନ୍ଦିର କଣ ଏକ ଟୁରିଜିମ ଷ୍ପଟ ଯେ ସେଠାକୁ ଅଧିକ ଲୋକ ଆସିଲେ ଟୁରିଜିମ ବଢିବ?ସରକାରଙ୍କ ରାଜସ୍ୱ ବଢିବ?ଯଦି ବି କୌଣସି ଅଣ ହିନ୍ଦୁଙ୍କର ଜଗନ୍ନାଥ ଦର୍ଶନ ଇଚ୍ଛା ଅଛି ସେଥିପାଇଁ ତ’ ବର୍ଷକୁ ଥରେ ସ୍ୱୟଂ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଚାଲି ଆସନ୍ତି ବଡ଼ ଦାଣ୍ଡକୁ।ଯେଉଁ ରଥଯାତ୍ରା ଆଜି ବିଶ୍ୱ ପ୍ରସିଦ୍ଧ।
ତେବେ ଶ୍ରୀମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ଭିର୍ଣ୍ଣ ଭିର୍ଣ୍ଣ ମତାମତ ପ୍ରକାଶ ପାଉଛି।କିଏ ସପକ୍ଷରେ କହୁଛି ତ କିଏ ବିପକ୍ଷରେ କହୁଛି।କିନ୍ତୁ ଶନିବାର ରାତି ୧୦ଟାରେ ଏକ ଘରୋଇ ଟିଭି ଚ୍ୟାନେଲରେ ଏନେଇ ଏକ ବିତର୍କ ଜଗନ୍ନାଥଙ୍କ ଉପରେ ଆସ୍ଥା ରଖିଥିବା ଯିଏ ବା ଦେଖିଥିବ ସେ ଖୁବ୍ ଅସହ୍ୟ ଏବଂ ଅସହାୟ ଅନୁଭବ କରିଥିବ।ଉପସ୍ଥାପକ ଏନେଇ ବିତର୍କ ଆରମ୍ଭ କରିବା ପରେ ବିତର୍କରେ ଅଂଶ ଗ୍ରହଣ କରିଥିବା ଅତିଥି ମାନେ ନିଜ ନିଜ ମତାମତ ରଖୁ ଥାଆନ୍ତି।ତେବେ ଏ ଭିତରେ ବିତର୍କରେ ଭାଗ ନେଇଥିବା ଭିତରେ ଜଣେ ମହିଳା ଥାଆନ୍ତି ମଧୁମିତା ରାୟ।କିଟ ବିଶ୍ୱ ବିଦ୍ୟାଳୟରେ ଜଣେ ଆସିଷ୍ଟାଣ୍ଡ ପ୍ରଫେସର।ସେ ଶ୍ରୀମନ୍ଦିରରେ ଅଣ ହିନ୍ଦୁ ମାନଙ୍କର ପ୍ରବେଶ ସପକ୍ଷରେ ଯୁକ୍ତି କରୁଥିଲେ।ତାଙ୍କ ଯୁକ୍ତି ଭିତରେ ସେ କେତୋଟି କଥା କହିଥିଲେ।ଯେପରି ଶଙ୍କରାଚାର୍ଯ୍ୟ କିଏ?(ହୁ ଇଜ ଶଙ୍କରାଚାର୍ଯ୍ୟ) ବୋଲି ସେ ଥରେ ନୁହେଁ,ଦୁଇଥର ନୁହେଁ।୫/୭ ଥର ଏହି ପ୍ରଶ୍ନ କରିଥିଲେ।ଶ୍ରୀମନ୍ଦିର ପ୍ରସଙ୍ଗରେ ଯଦି ଶଙ୍କରାଚାର୍ଯ୍ୟ କିଏ ବୋଲି କୁହାଯିବ,ତେବେ ଶ୍ରୀମନ୍ଦିର ପ୍ରସଙ୍ଗରେ କ’ଣ ଆଉ କିଟ କଲେଜର ପ୍ରଫେସରଙ୍କର ମତ ଲୋଡ଼ାଯିବ କି ବୋଲି ମନରେ ପ୍ରଶ୍ନ ଉଠେ।ଆହୁରି ସେ ଗୋଟେ କଥା କହିଥିଲେ ଯେ ସେ ହିନ୍ଦୁ।କିନ୍ତୁ ସେ ଗୋମାଂସ ଖାଆନ୍ତି।ଏହା ବି ସେ ବାରମ୍ବାର କହିଥିଲେ।ଗାଈକୁ ଆମେ ମା” ଭଳି ପୂଜା କରୁ ବୋଲି ପ୍ରତିପକ୍ଷ କହିବା ସତ୍ତ୍ୱେ ସେ ଗୋମାଂସ ଖାଇବା କଥା ବାରମ୍ବାର କହୁଥିଲେ।ସେହିପରି ଆହୁରି ଏକ କଥା କହିଥିଲେ ସଂପୃକ୍ତ ମହିଳା।ସେ କହିଥିଲେ ଜଗନ୍ନାଥ କ’ଣ ଖାଉଛନ୍ତି?ହ୍ଵାଟ୍ ନନସେନ୍ସ! ଜଗନ୍ନାଥଙ୍କ ଗାଧୋଇବା,ଖାଇବା ଆଦିକୁ ସେ କଣ୍ଢେଇ ଖେଳ ସହ ତୁଳନା କରିଥିଲେ।ସେ କହିଥିଲେ ଯେ ସେ ଯେପରି ପିଲା ବେଳେ କଣ୍ଢେଇ ଖେଳନ୍ତି ଏବେ ସେପରି ଜଗନ୍ନାଥଙ୍କର ଦୈନିକ ନୀତି ତାଙ୍କୁ କୁଆଡ଼େ ସେପରି କଣ୍ଢେଇ ଖେଳ ପରି ଲାଗୁଛି।ଏବଂ ଏସବୁ ଭିତରେ ସେ ଜଗନ୍ନାଥ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ଯୁକ୍ତି କରୁଥିଲେ।
ସଂପୃକ୍ତ ମହିଳା ଜଣଙ୍କର ମନ୍ତବ୍ୟ ଶୁଣିଥିବା ଜଗନ୍ନାଥଙ୍କ ଉପରେ ଆସ୍ଥା ରଖିଥିବା ଅନେକ ଭକ୍ତଙ୍କୁ ଏହା କଷ୍ଟ ଲାଗିଥିବ ନିଶ୍ଚୟ।ସଂପୃକ୍ତ ମହିଳାଙ୍କର ହିନ୍ଦୁ ଧର୍ମ ପରମ୍ପରା,ରୀତିନୀତି ତଥା ଜଗନ୍ନାଥଙ୍କ ପ୍ରତି ଆଦୌ ଆସ୍ଥା ନଥିଲା ପରି ପ୍ରକଟ ହେଉଥିଲା।ତେବେ ସେ ଶ୍ରୀମନ୍ଦିରକୁ ଅଣ ହିନ୍ଦୁଙ୍କ ପ୍ରବେଶ ନେଇ ଯେଉଁଭଳି ଯୁକ୍ତି କରୁଥିଲେ,ସେଥିରୁ ଲାଗୁଛି,ସେ କ’ଣ ଶ୍ରୀମନ୍ଦିରକୁ ଏକ ଧାର୍ମିକ ସ୍ଥଳୀ ନାଁ ପର୍ଯ୍ୟଟନ ସ୍ଥଳୀ ଭାବି ବସିଛନ୍ତି?