Odiapua.com

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନଭୋଜୀ ବେଶ

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନଭୋଜୀ ବେଶ ଅନୁଷ୍ଠିତ ହୋଇଥିଲା। ସୋମବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରୀୟା ଆରମ୍ଭ ହୋଇଛି।ସୋମବାର ଜେଉଟ ଭୋଗ ପରେ ମଙ୍ଗଳବାର ଶ୍ରୀକୃଷ୍ଣ ଜନ୍ମ ଓ ବୁଧବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜିଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବ। ଆଜି ଭ୍ରାଦବ କୃଷ୍ଣ ଦଶମୀରେ ତିଥିରେ ଶ୍ରୀମନ୍ଦିରରେ ବନ ଭୋଜୀ ବେଶ ସହ କୋଳିବିକା ନୀତି, ବକାସୁର ବଦ୍ଧ ଓ ଅର୍ଘାସୁର ବଦ୍ଧ ନୀତି ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାକୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ୨ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ୱାର ନିକଟସ୍ଥ ବଡଛତା ମଠ ପାର୍ଶ୍ୱରେ ଥିବା ଏକ କାଠ ସିଂହାସନରେ ବିଜେ କରାଇଥିଲେ।ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡିଆ ପାତି ମିଶାଇ ଏକ ବାଉଁଶିଆ ଧରି ଆସି ସେଠାରେ ନୀତି ସମ୍ପାଦନ କରିଥିଲେ। ଭିତରଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିବା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଛ ମହାପାତ୍ର ବନ୍ଦାପନା କରିଥିଲେ। ସଂନ୍ଧ୍ୟା ଧୂପ ପରେ ଠାକୁର ମାନଙ୍କୁ ବନଭୋଜୀ ବେଶରେ ସଜ୍ଜିତ କରାଯାଇଥିଲା। ଶ୍ରୀଜୀଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ଶର ଧାରଣ ସହ ଅନ୍ୟ ହସ୍ତ ରେ ନଉଡି ଧରିଥାନ୍ତି। ବନଭୋଜୀ ବେଶରେ ଠାକୁର ମାନଙ୍କୁ ପ୍ରାୟ ୧୮ ପ୍ରକାରର ସ୍ୱର୍ଣ୍ଣ ଅଳଂଙ୍କାରରେ ବିମଣ୍ଡିତ କରାଯାଇଥାଏ। କିନ୍ତୁ କୋରନା କଟକଣା ଯୋଗୁଁ ଚଳିତ ବର୍ଷ ମହାପ୍ରଭୁଙ୍କ ଏହି ଦୁଲ୍ଲଭ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ଭକ୍ତମାନେ ବଚିଂତ ହୋଇଥିଲେ।