Odiapua.com

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସର୍ବସାଧାରଣଙ୍କ ଦର୍ଶନ ଆଜିଠାରୁ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ନିୟମ

ପୁରୀ ୩-୧ (ଓଡ଼ିଆ ପୁଅ) ଆଜି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ। ସେଥିପାଇଁ ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଳବନ୍ତ ସିଂହ ଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଶ୍ରଦ୍ଧାଳୁ ମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ନେଇ ଆସିବା ବାଧ୍ୟତାମୂଳକ କରାଯାଇଛି। ପୁରୀରେ କୋଭିଡ୍ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ପୁରୀ ସହରବାସୀଙ୍କ ପାଇଁ ମଧ୍ୟ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ରହିଥିବା ଏସଓପି ବଳବତ୍ତର ରହିବ। ଆସନ୍ତାକାଲି ଠାରୁ ୧୫ ରୁ ୧୭ ହଜାର ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ମାର୍କେଟ ଛକଠାରୁ ହୋଇଥିବା ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଉତ୍ତରଦୁଆର ଦେଇ ପ୍ରସ୍ଥାନ କରିବା ବ୍ୟବସ୍ଥା ହୋଇଛି। ଏଥିସହ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁଭଳି ଭାବରେ ପୁରୀ ସହରବାସୀଙ୍କ ପାଇଁ କିଓସ୍କୋ ମାଧ୍ୟମରେ ଫଟୋଗ୍ରାଫି କରାଯାଉଥିଲା ଠିକ୍ ସେହିପରି ସର୍ବସାଧାରଣଙ୍କ ପାଇଁ ଫଟୋଗ୍ରାଫି ବ୍ୟବସ୍ଥା ଜାରି ରହିବ। ସେପଟେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ। ଦୁଇଜଣ ଆଡିସନାଲ୍ ଏସପି,6ଜଣ ଡିଏସପି,9ଜଣ ଆଇଆଇସି,35ଜଣ ଏସଆଇ ଓ ଏଏସଆଇଙ୍କ ସମେତ ମୁତୟନ ହେବେ 40 ଜଣ ହୋମଗାର୍ଡ।
ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବଳବନ୍ତ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ,ନୀତି ପ୍ରଶାସକ,ଉନ୍ନୟନ ପ୍ରଶାସକ ଓ ଆଡିସନାଲ୍ ଏସପି ଉପସ୍ଥିତ ଥିଲେ।