Odiapua.com

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା

ପୁରୀ, ୧।୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗ ମଣ୍ଡପରେ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ନୀତି ସମ୍ପନ୍ନ ହେବ। ଏନେଇ ନୀତି ସମୟରେ ଶ୍ରୀଜିଉଙ୍କ ଦର୍ଶନକୁ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତେବେ ଏହି ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ।

ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ। ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି।

ଅନ୍ୟପଟେ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ। ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି। ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ।

ଓଡ଼ିଶାର ଏହା ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ। ଗେଣ୍ଡା ସାଧାରଣତଃ ଫସଲ କାଟି କ୍ଷତି କରୁଥିବାରୁ ସେ ସମ୍ଭାବନାକୁ ଏଡ଼େଇବା ନିମନ୍ତେ ଏହି ଖାଦ୍ୟ ଅର୍ପଣ କରାଯାଇଥାଏ। ଖାଦ୍ୟ ଖାଇ ଗେଣ୍ଡା ଆଉ କେଉଁଠାକୁ ଚାଲିଯାଇଥାଏ।ତେବେ ଏହା ସହ ଆଜିଠାରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ନିଷେଧ କଟକଣା ଲାଗୁ ହୋଇଛି।