Odiapua.com

ଶ୍ରୀଜଗନ୍ନାଥ ସଂସ୍କୃତିରେ ଆମ ପାରିବାରିକ ଓ ସାମାଜିକ ସଂସ୍କୃତି ଅବଧାରିତ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗନ୍ନାଥ ଜଗତର ନାଥ ଶ୍ରୀଜଗନ୍ନାଥ ସଂସ୍କୃତିରେ ଆମ ପାରିବାରିକ ଓ ସାମାଜିକ ସଂସ୍କୃତି ଅବଧାରିତ । ଏହାକୁ ଆମ୍ଭେ ଆପଣେଇ ପାରିଲେ ଆମ ବ୍ୟକ୍ତିଗତ ଓ ସାମାଜିକ ଜୀବନ ମାର୍ଜିତ ଓ ଶୃଙ୍ଖଳିତ ହୋଇ ପାରିବ ବୋଲି ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଭଦ୍ରକ ପ୍ରସିଦ୍ଧ ଐତିହାସିକ କାଳୀପୂଜା ଯାତ୍ରାରେ ଚାରିଦିନିଆ ମହାସଂସ୍କୃତି ଜାଗରଣ ଯାତ୍ରାର ଉଦ୍‌ଘାଟନ ଦିବସରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ସମିତିର ପୂର୍ବାହ୍ନ ଅଧିବେଶନ ଦିବା ୧୦ ଘଟିକାରେ ଆରମ୍ଭ ହୋଇଥିଲା । ଏହାକୁ ସମିତିର ଉପଦେଷ୍ଟା, ସମାଜସେବୀ, ରୋଟାରିୟାନ ଡ. ଶିଶିର କୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ଦିବା ୧୧ ଘଟିକାଠାରୁ ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଶ୍ରୀଶ୍ରୀ ବାଲୁକେଶ୍ୱର ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବାଲିଚଉରୀ କାଳୀ ମଣ୍ଡପ ଓ ସହର ପରିକ୍ରମା କରିଥିଲେ ।

ଅପରାହ୍ଣ ୫ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ କବିତା ରାଉଳଙ୍କ ନେତୃତ୍ୱରେ ଶ୍ରୀକ୍ଷେତ୍ରବାସିନୀ ମହାଲକ୍ଷ୍ମୀ ମହିଳା କୀର୍ତ୍ତନ ମଣ୍ଡଳୀ ନୃତ୍ୟ ପରିବେଷଣ କରିଥିଲେ । ପରେ ଆଧ୍ୟାତ୍ମିକ ସଭା ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ, ଭଦ୍ରକ ବାର୍ ଆସୋସିଏସନ୍ ସଭାପତି ନିରାକାର ଜେନା, ସମ୍ମାନନୀୟ ଅତିଥି ଭାବରେ ରୋଟାରିୟାନ ଡ. ଶିଶିର କୁମାର ମିଶ୍ର, ସମିତା ମିଶ୍ର, ଉପଦେଷ୍ଟା ଶରତ କୁମାର ମହାନ୍ତି ଯୋଗଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ । ସହଆବାହକ ବାବୁଲାଲ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସନାତନ ସାହୁ, କାହ୍ନୁଚରଣ ଦାସ ଅତିଥିଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ସମିତିର ମୁଖ୍ୟଆବାହକ ଶରତ କୁମାର ସାହୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ କାଶିନାଥ ପଣ୍ଡା, ଚିତ୍ତରଞ୍ଜନ ଦାଶ, ସନେଇ ଶିଅଳ, ତପସ୍ୱିନୀ ପାଢ଼ୀ ପ୍ରମୁଖ ବହୁ ସେବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ସୁଦଶର୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।