Odiapua.com

ଶ୍ରୀକ୍ଷେତ୍ରରୁ ଆସିଲା ପାଟଶାଢୀ ତୁଳସୀକ୍ଷେତ୍ରକୁ

କେନ୍ଦ୍ରାପଡା, ୨୨ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ତୁଳସୀ କ୍ଷେତ୍ରାଧିପତି ବଡଭାଇ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାଇଁ ଆସିଛି ତିନିଖଣ୍ଡ ପାଟଶାଢୀ। ପୁରାଣନୁଯାଇ ଦ୍ୱାପରଯୁଗରେ ବଡଭାଇ ବଳରାମ ଓ ସାନଭାଇ ଶ୍ରୀକୃଷ୍ଣ(ଜଗନ୍ନାଥ) ଗୋପାଳ ବାଳକମାନଙ୍କ ସହିତ ଖେଳୁଥିବା ସମୟରେ କଂସ ମହାରାଜାଙ୍କ ଦ୍ୱାରା ପ୍ରେରିତ ରାକ୍ଷସ ପ୍ରଳମ୍ବ ନାମକ ଦୁର୍ଦ୍ଦାନ୍ତ ଅସୁର ଚକ୍ରାନ୍ତ କରି ବଳରାମଙ୍କୁ କାନ୍ଧରେ ବସାଇ ମାରିଦେବାକୁ ନେଉଥିଲା। ମାତ୍ର ବଳରାମ ଏହା ଜାଣିପାରି ଅସୁର ପ୍ରଳମ୍ବା ମୁଣ୍ଡରେ ପ୍ରଚଣ୍ଡ ମୁଷ୍ଟି ଆଘାତ କରି ତାକୁ ବିନାଶ କରିଥିଲେ। ଅସୁର ମରିବା ଦେଖି ଅତି ଆନନ୍ଦିତ ହୋଇ ସାନଭାଇ ଶ୍ରୀକୃଷ୍ଣ ଜ୍ୟେଷ୍ଠଭାତା ବଳରାମଙ୍କ ମସ୍ତକରେ ନିଜ ପାଟ ଉତ୍ତରୀୟ ବାନ୍ଧି ଦେଇଥିଲେ। ଏହି ପରମ୍ପରା ବା ପୈାରାଣିକ କଥାକୁ ନେଇ ସାନଭାଇ ଜଗନ୍ନାଥ (ଶ୍ରୀକୃଷ୍ଣ) ପ୍ରତିବର୍ଷ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟ ପ୍ରଳମ୍ବାସୁର ବେଶ ପାଇଁ ପଠାଇଥାନ୍ତି। କାର୍ତ୍ତିକମାସ ଏକାଦଶୀ(ଶୁକ୍ଳ)ଦିନ ମହାପ୍ରଭୁ ଶ୍ରୀ ବଳଦେବ ପ୍ରଳମ୍ବାସୁର ବେଶ ହୁଅନ୍ତି। ସେଥିପାଇଁ ଆଜି ଶ୍ରୀକ୍ଷେତ୍ରରୁ ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ରାୟ, ନାଜିର ବିମଳ କୁମାର କାମ୍ବିଲା ଓ ସହାୟକ ଭାବେ ସତ୍ୟନାରାୟଣ ପାତ୍ର ଶ୍ରୀ ବଳଦେବଜୀଉ, ଭଗ୍ନୀ ମା ସୁଭଦ୍ରା ଓ ସାନୁଜ ଶ୍ରୀ ଜଗନ୍ନାଥଙ୍କ ପାଇଁ ତିନିଖଣ୍ଡ ପାଟଶାଢୀ ଆଣି ଶ୍ରୀ ବଳଦେବଜୀଉଙ୍କ ଦେବୋତ୍ତର ବିଭାଗ କାର୍ଯ୍ୟାଳୟରେ ଅପରାହ୍ନରେ ପହଁଚିଥିଲେ। ସନ୍ଧ୍ୟା ଆରତୀ ପରେ ଏହି ତିନିଖଣ୍ଡ ପାଟଶାଢୀକୁ ନେଇ ସହାୟକ ଶ୍ରୀ ପାତ୍ର କୋଭିଡ ନିୟମ ଅନୁଯାଇ ଶ୍ରୀଜୀଉଙ୍କ ସିଂହଦ୍ୱାର ନିକଟରେ ବଡପଣ୍ଡା ମାଧବାନନ୍ଦ ପତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବୋତ୍ତର ନ୍ୟାସୀ ମଣ୍ଡଳୀର ସଭ୍ୟ ତଥା ପୂର୍ବତନ ପୈାରପାଳ ଧିରେନ କୁମାର ସାହୁ, ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି, ବରିଷ୍ଠ ସେବାୟତ ତଥା ସେବକ ଟ୍ରଷ୍ଟି ବଳରାମ ସୁଆର, ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ(ଟୁକୁନନା)ଓ ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଏବଂ ତୁଳସୀକ୍ଷେତ୍ରର ଗବେଷକ ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ।