Odiapua.com

ଶ୍ରାବଣ ୩ୟ ସୋମବାର ପାଇଁ ପ୍ରଶାସନିକ ପ୍ରସ୍ତୁତି, ଲଘୁଚାପ ପ୍ରଭାବରେ ଉଛୁଳିବ ନଦୀ, ନଦୀଘାଟରେ କାଉଡିଆଙ୍କ ଘାଟପାରି ଉପରେ ଗୁରୁତ୍ୱ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ଶ୍ରାବଣୀଯାତ୍ରା । ଏହି ଶ୍ରାବଣ ମାସର ପ୍ରତି ସୋମବାରରେ ମଣିବାବାଙ୍କୁ ଜଳାଭିଷେକ କରିବା ପାଇଁ ଲକ୍ଷାଧିକ କାଉଡିଆଙ୍କ ସମାଗମ ହେଉଛି । ଚଳିତବର୍ଷ ୫ଟି ସୋମବାର ପଡିଥିବାରୁ ପ୍ରତି ରବିବାର ଓ ସୋମବାର ମଣିବାବାଙ୍କ ପୀଠରେ କାଉଡିଆ ଭକ୍ତଙ୍କର ଶୃଙ୍ଖଳିତ ଜଳଲାଗି ପାଇଁ ଶ୍ରାବଣୀ ଯାତ୍ରା ପୂର୍ବରୁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ମନ୍ଦିର ସେବାୟତ, ପୁଲିସ୍‌, ମନ୍ଦିର ପ୍ରଶାସନ ଓ ଜିଲାର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତି କରାଯାଇଥିଲା । ହେଲେ ଚଳିତ ସୋମବାରରେ ଅଧିକ ସଂଖ୍ୟକ କାଉଡିଆ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଗୁରୁବାର ଆଭାସି (ଭର୍ଚୁଆଲ) ମାଧ୍ୟମରେ ଭଦ୍ରକ ଜିଲାପାଳ ତଥା ପୀଠ ଉନ୍ନୟନ କମିଟିର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଆହୂତ ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଂଟୁପାଲି, ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ସ୍ୱାଇଁ, ବିଡିଓ ଅସିତ୍ ମହାନ୍ତିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ମନ୍ଦିରର ବରିଷ୍ଠ ସେବାୟତ, ଟ୍ରଷ୍ଟବୋର୍ଡ ସଭ୍ୟ ଯୋଗ ଦେଇଥିଲେ । ବିଶେଷକରି ପୀଠକୁ ଆସୁଥିବା ଅôଦକାଂଶ କାଉଡିଆ ଭକ୍ତ ଜଳପଥରେ ନଦୀପାର ହୋଇ ଆସିଥାନ୍ତି । ହେଲେ ଆଗକୁ ସମ୍ଭାବ୍ୟ ଲଘୁଚାପ ପାଇଁ ଲଗାଣ ବର୍ଷା ହେବା ସହିତ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ପକ୍ଷରୁ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କାଉଡିଆଙ୍କ ସୁରକ୍ଷିତ ନଦୀ ପାର ନିମନ୍ତେ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧନାଖଣିଆ ଘାଟରେ କଡାକଡି ସୁରକ୍ଷା ବ୍ୟବସ୍ଥା ସହିତ ନଦୀପାର ନିମନ୍ତେ ନିୟୋଜିତ ଥିବା ମୋଟର ଚାଳିତ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ନକରିବା ପାଇଁ ଜିଲାପାଳ ଗୁରୁତର ଭାବେ ଆଲୋଚନା କରିଥିଲେ । ଏଥିପାଇଁ ଚାନ୍ଦବାଲି ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଘାଟରେ ଥିବା ଡଙ୍ଗା ଗୁଡିକରେ ଲାଇଫ୍ ଜ୍ୟାକେଟ୍ ମହଜୁଦ ରଖିବା ସହ ଡଙ୍ଗାରେ ୨ ଚକିଆ ଯାନ ରବିବାର ଓ ସୋମବାର ପାରି ନକରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିଗତ କିଛିବର୍ଷ ହେବ ବହୁ ମହିଳା କାଉଡିଆ ଭକ୍ତ ଆସୁଥିବାରୁ ପୁରୁଷ ଓ ମହିଳାମାନଙ୍କ ପାଇଁ ୨ଟି ପୃଥକ୍ ଭାବେ ବ୍ୟାରିକେଡ୍ ନିର୍ମାଣ କରିବା ପାଇଁ ଧାମନଗର ଏସଡିପିଓ ଜଣାଇଥିଲେ । ତାହା ସହ ଉଠା ଦୋକାନୀ ମୁଖ୍ୟ ବଜାର ରାସ୍ତାର ଦୋକାନ ଖୋଲିବାରୁ ଭକ୍ତମାନଙ୍କ ଯାତାୟତରେ ବହୁ ସମସ୍ୟା ଦେଖାଯାଉଛି । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉଠା ଦୋକାନୀ ବସିବାକୁ ଆଲୋଚନା ହୋଇଥିଲା ।