Odiapua.com

ଶ୍ରାବଣ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ କାଉଡିଆଙ୍କ ଭିଡ, ରାତ୍ର ୧୨ ଟାରୁ ମଣିଙ୍କ ମଥାରେ ଜଳଲାଗି

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆଜି ଆରଡି ପୀଠରେ ଲାଗିଛି ହଜାର ହଜାର କାଉଡିଆଙ୍କ ଭିଡ । ସେମାନଙ୍କ ବୋଲବୋମ ହର ହର ବୋମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପୀଠ । ପୀଠର ସ୍ଥଳପଥ ଓ ଜଳପଥରେ ଆସୁଥିବା କାଉଡିଆ ଭକ୍ତଙ୍କ ନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷକରି ବୈତରଣୀର ସାଳନ୍ଦୀ ନଦୀରେ ଥିବା ନୂଆଘାଟ, ତିନିତର ଘାଟ ଓ ଧାନଖଣିଆ ଘାଟରେ କାଉଡିଆ ଭକ୍ତ ଯେପରି ସୁରକ୍ଷିତ ଭାବେ ନଦୀପାର ହୋଇ ଆସିବେ, ସେଥିପାଇଁ ନଦୀଘାଟର ଉଭୟ ପାଶ୍ୱର୍ରେ ପୁଲିସ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ଏଥିସହ ରବିବାର ସନ୍ଧ୍ୟାରୁ ସୋମବାର ସକାଳ ଯାଏ ନଦୀଘାଟ ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ଦିର ଭିତରେ ଶୃଙ୍ଖଳିତ ଭାବେ ଜଳଲାଗି ପାଇଁ ବ୍ୟାରିକେଡ୍ କରାଯାଇଥିବାବେଳେ ମନ୍ଦିର ଭିତର ଓ ବାହାର ବେଢାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । କାଉଡିଆ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ବିଡିଓ ଅସିତ୍ ମହାନ୍ତିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସମୀକ୍ଷା କରିଛନ୍ତି ।