Odiapua.com

ଶ୍ରାବଣ ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତ ମାନଙ୍କର ଜଳଲାଗି

କଟକ : ୧୦/୮ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ସଦରର କନ୍ଦରପୁର ଅଞ୍ଚଳରେ ଶ୍ରାବଣ ମାସର ଶେଷ ସୋମବାରରେ ଶୈବପୀଠ ମାନଙ୍କରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା। ପରମହଂସ ପଞ୍ଚାୟତର ହଂସନାଥ ମନ୍ଦିର, ଆୟତପୁର ପଞ୍ଚାୟତର ନାଗେଶ୍ଵରନାଥ ମନ୍ଦିର, କନ୍ଦରପୁର ପଞ୍ଚାୟତର ବାବା ସିଦ୍ଧେଶ୍ୱର ମନ୍ଦିର ସହିତ ଅନେକ ଶିବ ମନ୍ଦିରରେ ଭକ୍ତମାନେ ଦୂରଦୂରାନ୍ତରୁ ଜଳ ଆଣି ଜଳାଭିଷେକ କରିଥିଲେ। ତୁହାକୁ ତୁହା ବର୍ଷା ହେଉଥିବାରୁ ଦୂରରୁ ଆସିଥିବା କାଉଡ଼ିଆ ମାନଙ୍କ ପାଇଁ ରାସ୍ତାରେ ଚାଲିବା ସହଜ ହେଉଥିଲା ବୋଲି ଭକ୍ତମାନେ କହିଥିଲେ। ଶେଷ ସୋମବାର ହେତୁ ବହୁ ସଂଖ୍ୟାରେ ବୋଲବମ ଭକ୍ତଙ୍କ ମଧ୍ୟରେ ଅନେକ ମହିଳାଙ୍କ ସହିତ କୁନି କୁନି ପିଲାମାନେ ଯଥା ତେଜସ୍ଵୀ ରାଉତରାୟ, ଅଭିଷେକ ରାଉତରାୟ, ଅଭିନାଶ ରାଉତରାୟ, ପ୍ରିୟାଂଶୁ ରାଉତରାୟ, ଅନିଲ ରାଉତରାୟ, ସ୍ଵୟଂଶୁ ରାଉତରାୟ ଆଦି କାନ୍ଧରେ ବାହୁଙ୍ଗି ଧରି ଚାଲିଥିବା ଦେଖିବାକୁ ମିଳିଥିଲା ଯାହାକି ଶିଶୁ ସୃଜନ ଆଉ ମନସ୍ତତ୍ଵର ଭକ୍ତି ଭାବନାକୁ ଦ୍ୱିଗୁଣିତ କରିଥିଲା। କନ୍ଦରପୁର ବଜାରରେ କାଳନ୍ଦୀ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ସମିତି ସଭ୍ୟ ସାରଦା ପ୍ରସାଦ ସ୍ୱାଇଁ ପ୍ରମୁଖ କାଉଡ଼ିଆମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିବାବେଳେ, ଆୟତପୁର ଠାରେ ସରପଞ୍ଚ ରାକେଶ କୁମାର ବେହେରା ଓ ପରମହଂସ ଠାରେ ସରପଞ୍ଚ ଅଶୋକ ପାତ୍ର ପ୍ରମୁଖ କାଉଡ଼ିଆ ମାନଙ୍କ ପାଇଁ ସୁବ୍ୟବସ୍ଥା କରିଥିଲେ। ପ୍ରତ୍ୟେକ ମନ୍ଦିରରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।