Odiapua.com

ଶ୍ରାବଣ ମାସ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ

ତାଳଚେର, ୮/୮ (ଓଡ଼ିଆ ପୁଅ/ଅଜିତ୍ ବେହେରା) : ଆଜି ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ବାବା ବାଲୁଙ୍କେଶ୍ୱର ମହାଦେବ ମନ୍ଦିରରେ ଆଜି ପ୍ରତ୍ୟୁଷରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମହାଦେବଙ୍କ ଯଥାବିଧି ପୂଜାର୍ଚ୍ଚନା କରିବା ସହ ଜଳଲାଗି କରିଥିଲେ। ଦୂରଦୂରାନ୍ତରୁ ବହୁ କାଉଡିଆ ଧାଡି ବାନ୍ଧି ଶୃଙ୍ଖଳାର ମହାଦେବଙ୍କଠାରେ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଥିଲା। କେତେକ ଭକ୍ତ ମନ୍ଦିର ପରିସରରେ ପ୍ରଦୀପ ପ୍ରଜ୍ଜଳନ କରି ନିଜର ଭକ୍ତି ଅର୍ଘ୍ୟ ପ୍ରଦାନ କରୁଥିବାର ଦେଖାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ସେହିପରି ତାଳଚେରସ୍ଥିତ ପଶ୍ଚିମେଶ୍ୱର ମହାଦେବ ମନ୍ଦିର, କର୍ଣ୍ଣପୁର ଶିବ ମନ୍ଦିର ଆଦି ବିଭିନ୍ନ ପୀଠରେ ଶ୍ରଦ୍ଧାଳୁମାନେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ।