Odiapua.com

ଶ୍ରାବଣ ମାସର ସୋମବାର ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା, ୨୨/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ମହାଦେବଙ୍କ ମସ୍ତକରେ ଜଳାଭିଷେକ ଉଦ୍ଦେଶ୍ୟରେ ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ବିଭିନ୍ନ ନଦୀରୁ ଜଳ ଭାାର ନେଇ କାଉଡିମଆ ମାନେ ଶୈବପୀଠକୁଡ଼ିକୁ ବାହାରିଥିଲେ। ଏହି ପରିପ୍ରେକ୍ଷିରେ ସୋମବାର ପ୍ରତ୍ୟୁଷରୁ ହିଁ ନିକଟସ୍ଥ ଖଡ଼ଗ ନଦୀ ନିକଟରେ କାଉଡ଼ିଆ ମାନଙ୍କର ଭିଡ଼ଲାଗି ରହିଥିଲା। ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ଏବଂ ରାଜ୍ୟ ତଥା ରାଜ୍ୟ ବାହାରରୁ ମଧ୍ୟ ଶତାଧିକ ଶୈବ ଭକ୍ତ ଆସି ଜଳ ଲାଗି କରିଛନ୍ତି। ନଦୀ କୂଳରେ ବାଲିରେ ଶିବଲିଙ୍ଗ ପ୍ରତିଷ୍ଠା ସହ ରୀତିନୀତି ପୂଜାର୍ଚ୍ଚନା ପୂର୍ବକ କାଉଡ଼ିଆ ମାନେ ଜଳ ଭାରନେଇ ଏକ ମୁହାଁ ହୋଇ ବିଭିନ୍ନ ଶୈବପୀଠ ଅଭିମୁଖେ ଚାଲିଥିଲେ। ଯୁବକ ଯୁବତୀଙ୍କ ସମେତ ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ଜଳ ଭାର ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଟାଉନ୍ ନିକଟରେ ଥିବା ଖଡ଼ଗନଦୀ ଭଳି ବିଭିନ୍ନ ନଦୀରୁ ଘଟ ଉତ୍ତୋଳନ ପୂର୍ବକ ବାଲିଗୁଡ଼ା ନିକଟସ୍ଥ ରେବିଙ୍ଗିଆର ବିରୁପାକ୍ଷେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ଗ୍ରାମରେ ଥିବା ଭୋଳେଶ୍ୱର, ଗୁପ୍ତେଶ୍ୱର, ଯୋଗେଶ୍ୱର, ଦଣ୍ଡପଦର ଗ୍ରାମର ବାବା ଧବଳେଶ୍ୱର ବାଲିଗୁଡ଼ାର ରାମେଶ୍ୱର, ବିରୁପାକ୍ଷ ଭଳି ବିଭିନ୍ନ ଶୈବପୀଠରେ ଶତାଧିକ କାଉଡ଼ିଆ ଲମ୍ବା ଲମ୍ବା ଲାଇନ୍ କରି ଜଳଲାଗି କରିଥିଲେ। ଜଳଭାର ନେଇ ରାସ୍ତାରେ ଯାଉଥିବା ସମୟରେ କାଉଡ଼ିଆଙ୍କ ମୁହଁରୁ ପ୍ରସ୍ପୁଟିତ ହେଉଥିବା ଅଖଣ୍ଡ “ବୋଲ୍ ବମ୍, ହରହର ବମ୍ ” “ଭୋଲାବାବା ପାର କରେଗା” ଇତ୍ୟାଦି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ପାରିଥିଲା। ମାସିକିଆ ଶ୍ରାବଣୀ ବ୍ରତର ଜଳାଭିଷେକ ନିମନ୍ତେ ପ୍ରଥମ ସୋମବାର ଦିନ ପ୍ରତ୍ୟେକ ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ମନ୍ଦିର ପରିଚାଳନା କମିଟି, ବୋଲବମ୍ କମିଟି ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।