ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୪ର୍ଥ ଅର୍ଥାତ୍ ପୂର୍ଣ୍ଣିମା ତିଥିର ଶେଷ ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର କାଉଡିଆଙ୍କ ଭିଡ ଜମିଥିଲା ପୀଠରେ। କାଉଡିଆଙ୍କ ବୋଲବମ୍ ହରହର ବୋମ୍ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପୀଠ। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପୀଠରେ ଆଉଗୋଟେ ସୋମବାର ପାଳନ ହେବ। ହେଲେ ପୂର୍ଣ୍ଣିମା ତିଥି ପାଇଁ ଶେଷ ସୋମବାର ହୋଇଥିବାରୁ ଗତ ରବିବାର ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କାଉଡିଆଙ୍କ ନାହିଁ ନଥିବା ଭିଡ ଲାଗି ରହିଥିଲା। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଇଥିବାବେଳେ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜଣେ ମାଜିଷ୍ଟ୍ରେଟ୍ଙ୍କ ସହ ଜଣେ ଏଏସ୍ପି, ୬ ଜଣ ଡିଏସ୍ପି, ୨୦ ଜଣ ଇନ୍ସିପେକ୍ଟର, ୮ ପ୍ଲାଟୁନ୍ ଫୋର୍ସ ଓ ଟ୍ରାଫିକ୍ ପୋଲିସ୍ ନିୟୋଜିତ କରାଯାଇଥିଲା। ପୀଠକୁ ଆସୁଥିବା ଅଧିକାଂଶ କାଉଡିଆ ଜଳପଥରେ ଡଙ୍ଗା ଦ୍ୱାରା ନଈପାରି ଆସୁଥିବାରୁ ସୁରକ୍ଷା ନିମନ୍ତେ ନଦୀଘାଟର ଉଭୟ ପାଶ୍ୱର୍ରେ ବ୍ୟାପକ ପୁଲିସ୍ ସହିତ ନଦୀ ମଧ୍ୟରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ୍ ଦ୍ୱାରା ପଇଁତରା ଦିଆଯାଇଥିଲା। ମଣିବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ଭୋର ୪ଟାରେ ମଣିବାବାଙ୍କ ମନ୍ଦିର ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତି ଓ ସ୍ନାନନୀତି କରାଯାଇଥିଲା। ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ସକାଳ ୫ଟା ଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥିଲା।
ଶ୍ରାବଣମାସର ୪ର୍ଥ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ବୋଲବମ୍ ହରହର ବୋମ୍ ଧ୍ୱନିରେ ପ୍ରକମ୍ପିତ ସମଗ୍ର ପୀଠ
