Odiapua.com

ଶ୍ରାବଣମାସର ପ୍ରଥମ ସୋମବାର : ବିନା ଭକ୍ତରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଜଳାଭିଷେକନୀତି : ଶୁଭିଲାନି କାଉଡିଆ ଭକ୍ତଙ୍କ ବୋଲବୋମ-ହରହରବୋମ ଧ୍ୱନୀ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ଣ୍ଣିମା ତିଥି ଅନୁଯାୟୀ ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ସମ୍ପନ୍ନ ହୋଇଛି ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କର ଜଳାଭିଷେକ ନୀତିକାନ୍ତି । ଏହି ପବିତ୍ରମାସରେ ହଜାର-ହଜାର ଶ୍ରଦ୍ଧାଳୁ ଏକମାସ ବ୍ରତ ରଖିବା ସହ ନିଜକୁ କାଉଡିଆ ବେଶରେ ସଜ୍ଜିତ ହୋଇ ବିିଭିନ୍ନ ନଦୀରୁ ଜଳଭାର ଉଠାଇବା ସହ ଖାଲିପାଦରେ ମାଇଲମାଇଲ ବାଟ ଚାଲି ଆସିଥାନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ । ହେଲେ ଚଳିତବର୍ଷ ମହମାରୀ କରୋନା ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ହେବ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁମାନଙ୍କର ଦର୍ଶନ, ପାର୍ଥନା ଓ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯାଇଥିବା ବେଳେ ଶ୍ରାବଣୀଯାତ୍ରାରେ କାଉଡିଆଙ୍କୁ ଜଳାଭିଷେକ ନକରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବା ସହ ସମସ୍ତ ଶୈବପୀଠରେ ୧୪୪ଧାରା ଜାରି କରାଯାଇଛି । ଯାହାର ପ୍ରଭାବରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଭକ୍ତଶୂନ୍ୟ ହୋଇ ପଡିବା ସହ ପୂର୍ବ ି ଶ୍ରାବଣୀ ମେଳା ଭଳି ି ଶୁଭିଲାନି କାଉଡିଆଭକ୍ତଙ୍କର ବୋଲବୋମ, ହରହରବୋମ ଧ୍ୱନି । ଅନ୍ୟପଟେ ମନ୍ଦିରର ସେବାୟତମାନେ ମଣିବାବାଙ୍କର ଦୈନଦିନ ନୀତିକାନ୍ତି ସମ୍ପନ୍ନ କରିବା ସହ ଶ୍ରାବଣୀ ନୀତିକାନ୍ତି ନିମନ୍ତେ ଜଳାଭିଷେକ ଓ ଘର୍ଷଣଲାଗି କରିଥିଲେ । ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟା ନୀତକାନ୍ତି କରାଯାଇଥିଲା । ପ୍ରଶାସନିକ କଟକଣା ଓ ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ପକ୍ଷରୁ ପୀଠର ସମସ୍ତ ପ୍ରବେଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବୈତରଣୀନଦୀର ମୁଆଁ ଓ ତିନିତର ଘାଟ, ସାଳନ୍ଦୀନଦୀର ଧାନଖଣିଆ ଘାଟରେ ପୁଲିସ ମୃତ୍ୟୟନ କରାଯାଇଥିଲା । ସେହିପରି ପୀଠରେ ଯେପରି କୈାଣସି ସ୍ଥାନରେ ବହୁ ଲୋକଙ୍କ ସମାଗମ ନହେବ ସେଥିପାଇଁ ଦିନତମାମ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।