ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିଥିଲେ ୨୦ହଜାରରୁ ଉର୍ଦ୍ଧ କାଉଡ଼ିଆ ଭକ୍ତ। ଆଗନ୍ତୁକ କାଉଡ଼ିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ ବାବାଙ୍କ ପାଖରେ ଜଳଲାଗି ଆରମ୍ଭ ହୋଇଥିଲା। କାଉଡ଼ିଆ ଭକ୍ତଙ୍କର ବୋଲବମ୍ ହରହର ବମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପୀଠ। ଆଗନ୍ତୁକ କାଉଡ଼ିଆ ଭକ୍ତଙ୍କ ଆଗମନକୁ ନେଇ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ଭରା ନଦୀରେ ଯାତ୍ରୀ ପରିବହନ ହେଉଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରିଥିଲେ। ତାହାସହ ପୀଠରେ ଥିବା ଧାନକଣିଆ, ତିନିତର ଓ ମୁଁଆ ୩ଟି ନଦୀଘାଟର ଉଭୟ ପାର୍ଶ୍ୱରେ ପୁଲିସ ମୃତ୍ୟୟନ ରହିବା ସହିତ ରାତିରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି କାଉଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୭ଟାରୁ ନଦୀ ଘାଟରେ ଯାତ୍ରୀ ପରିବହନ ବନ୍ଦ ରହିଥିଲା। ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ପୀଠରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କ ସହ ଜିଲା ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ୬ଜଣ ଡିଏସପି ଓ ଏସଡିପିଓ, ୨୦ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରଙ୍କୁ, ଟ୍ରାଫିକ ପୁଲିସ, ୬ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ରହିଥିଲେ।