Odiapua.com

ଶ୍ରାଦ୍ଧ ଦିବସ ପରେ ଶହୀଦ ସମାଧୀ ପୀଠକୁ ଭୁଲିଗଲେ, ଶୁଖିଲା ଫୁଲ,ଶ୍ରାଦ୍ଧ ବର୍ଯ୍ୟବସ୍ତୁରେ ପରିପୂର୍ଣ୍ଣ ଶହୀଦମାନଙ୍କ ସମାଧୀ ପୀଠ

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱଚ୍ଛ ଭାରତ ମିଶନକୁ ପୁରିଛି ଦଶବର୍ଷ । କେଉଁଠି ଟିକିଏ ସଫେଇରେ ଭାଗନେଇ କ୍ୟାମେରାରେ ନିଜ ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ନାଁ କମାଇବାକୁ ଶସ୍ତାନିତୀ ଆପଣେଇଛନ୍ତି କେତେକ ଆତ୍ମଘୋଷିତ ସମାଜସେବୀ, ପ୍ରଶାସନିକ ଅଧିକାରୀ । ମାତ୍ର ସ୍ୱଚ୍ଛ ଭାରତ ମିଶନର ପ୍ରକୃତ ଛବି ଦେଖିବାକୁ ମିଳିଛି ରକ୍ତତିର୍ଥ ଇରମସ୍ଥିତ ସଂଗ୍ରାମୀ ଶହୀଦ ସମାଧୀ ପୀଠରେ । ପ୍ରତ୍ୟେକବର୍ଷ ସେପ୍ଟେମ୍ବର ଅଠେଇଶ ତାରିଖରେ ବହୁ ଆଡମ୍ବରରେ ଶହୀଦମାନଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଆସୁଛି । ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ବିଷେଷ ଏହି ଅବସରରେ ଅତିଥି ଭାବରେ ଯୋଗଦେବା ସହିତ ଶହୀଦ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ସଂଗ୍ରାମୀ ଶହୀଦମାନଙ୍କ ପରିବାର ଏହି ଠାରେ ପହଂଚି ଶ୍ରାଦ୍ଧ ଦିବସ ପାଳନ କରିଥାଆନ୍ତି । ଏହି ଶ୍ରାଦ୍ଧ ଦିବସରେ ଘରୋଇ ଅନୁଷ୍ଠାନମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ବେଶ ତତ୍ପରତା ଦେଖାଦେଇଥାଏ । ତାପରଦିନ ଠାରୁ ସଂଗ୍ରାମୀମାନଙ୍କ ସମାଧୀ ପୀଠ ଯେମିତି ଅବହେଳିତ ଅବସ୍ଥାରେ ପଡିରହିଛି ,ତାହାର ସ୍ପଷ୍ଟଚିତ୍ର ଦେଖିବାକୁ ମିଳିଛି । ସମାଧୀ ପୀଠରେ ଶୁଖିଲା ଫୁଲ, ଶ୍ରାଦ୍ଧ ବର୍ଯ୍ୟବସ୍ତୁରେ ପରିପୁର୍ଣ୍ଣ । ଏମିତିବି ଗାନ୍ଧୀ ଜୟନ୍ତିରେ ସଂଗ୍ରାମୀମାନଙ୍କ ପ୍ରତିମୂର୍ତୀରେ ଆଜି ଫୁଲମାଟିଏ ପଡିପାରିନି । ପ୍ରଶାସନ ପକ୍ଷରୁ ଏହା ଉପରେ ନଜର ନଥିବା କାରଣରୁ ସ୍ଥାନୀୟ କେତେକ ବାସିନ୍ଦା ଆପତି ଆଣିଛନ୍ତି । ଇରମ ପଂଚାୟତର ସରପଂଚ ସାବିତ୍ରୀ ବଳ କୁହନ୍ତି, ଦୁଃଖ ଓ ପରିତାପର ବିଷୟ, ଆପଣଙ୍କ ଠାରୁ ଜାଣିବାକୁ ପାଇଲି, ତୁରନ୍ତ ସଫେଇପାଇଁ ବ୍ୟବସ୍ଥା କରାଯାଉଛି ।