Odiapua.com

ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି, ଯଥାର୍ଥ ଗୁରୁଜୀ ମୁରଲୀଧର

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ସଂସାରରେ ଗୁରୁ ଅନେକ। ହେଲେ ଗୁରୁଜୀ କାହାନ୍ତି ! ପୁଣି ଗୁରୁ ହେବାର ଯୋଗ୍ୟତା କେତେଜଣଙ୍କର। ନିଜେ ଯୋଗ୍ୟ ହୋଇ ଯୋଗ୍ୟତାର ପରାକାଷ୍ଠା ପ୍ରଦର୍ଶନ କରିବା ପ୍ରକୃତ ଗୁରୁଙ୍କର ବୈଶିଷ୍ଟ୍ୟ। ଯେତେବେଳେ ଆଚରଣ ଓ ଉଚ୍ଚାରଣ ଭିତରେ ବ୍ୟବଧାନ ରହିଯାଏ, ସେତେବେଳେ ଗୁରୁଙ୍କ ବାଣୀ ହୁଏ ନିରର୍ଥକ। ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମୁରଲୀ ଧର ମିଶ୍ର ଯଥାର୍ଥରେ ଥିଲେ ଗୁରୁଜୀ। ତାଙ୍କ ଉଚ୍ଚାରଣରେ ଯେପରି ଶୁଦ୍ଧତା ଓ ସ୍ୱଚ୍ଛତା ପରିସ୍ଫୁଟନ ହେଉଥିଲା, ସେମିତି ମଧ୍ୟ ଆଚରଣରେ ସତ୍ୟନିଷ୍ଠତା ଓ ଆଦର୍ଶ ପ୍ରତିଫଳିତ ହେଉଥିଲା ବୋଲି ସ୍ୱର୍ଗତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅତିଥି ମାନେ ମତପ୍ରକାଶ କରିଛନ୍ତି। ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଗବସାହିସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ କବି ମୁକ୍ତିକାନ୍ତ ମଲ୍ଲିକ ଓ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ସଂଯୋଜନା କରିଥିଲେ। ଏହି ଅବସରରେ ଡ.ମନୀନ୍ଦ୍ର ମହାନ୍ତି, ଝରଣା ପଟ୍ଟନାୟକ, ରକିତାନ୍ତ ମହାନ୍ତି, ନିର୍ମଳ ଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ଅଶୋକ କୁମାର ନାୟକ, ଗୌରହରି ନାୟକ, ପ୍ରଣତି ମଲ୍ଲିକ, ସାଧନ ଧର, ରୂପକ ବିହାରୀ ରାୟ, ଉମେଶଚନ୍ଦ୍ର ମାଝୀ, ଲକ୍ଷ୍ମଣ ନାୟକ, ପ୍ରମୋଦ ବାଳୀ, ପ୍ରଭାତ କୁମାର ଜେନା ପ୍ରମୁଖ ଯୋଗଦେଇ ସେ ଏକାଧାରରେ ଜଣେ ଶିକ୍ଷାପରାୟଣ ମନୀଷୀ ସହିତ ସାହିତ୍ୟାନୁରାଗୀ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସମାରୋହକୁ ନିରଞ୍ଜନ ମିଶ୍ର, ମନୋରଞ୍ଜନ ମିଶ୍ର, ବୀଣାପାଣି ମିଶ୍ର ଓ ସନ୍ଧ୍ୟାରାଣୀ ମିଶ୍ର ପ୍ରମୁଖ ସଂଚାଳନା କରିଥିବା ବେଳେ ପୁରଞ୍ଜନ ମିଶ୍ର ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ।