Odiapua.com

ଶ୍ରମ ବିଭାଗର କାର୍ଯାନୁଷ୍ଠାନ ଶୂନ: ବିଦେଶରେ ଫସୁଛନ୍ତି ଓଡ଼ିଆ ଶ୍ରମିକ

ନୟାଗଡ଼, ୨୨ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ଶ୍ରମ ବିଭାଗର ଉଦାସୀନତାକୁ ନେଇ ଜିଲାର ଓଡ଼ିଆ ଶ୍ରମିକମାନେ ବାରମ୍ବାର ବିଦେଶରେ ଫସୁଥିବା ଅଭିଯୋଗ ହେଉଛି। ବେକାର ଯୁବକମାନେ କାମ ଅନ୍ୱେଷଣରେ ବାହାରକୁ ଯାଇ ହଇରାଣ ହରକତ ହେବା ସହ ପରିବାରକୁ ପ୍ରତିପୋଷଣ କରିବାତ ଅଲଗା କଥା ଅନେକ ସମୟରେ ସେମାନଙ୍କ ମୃତଦେହ ଘରକୁ ଫେରୁଥିବା ଅନେକ ନଜିର ରହିଛି। ଶ୍ରମିକମାନେ ବାହାର ରାଜ୍ୟରେ ହେଉ ବା ବିଦେଶରେ ସେମାନଙ୍କୁ ଗୋତି ଖଟାଇ ଶେଷରେ ମାରିଦେବା ପର୍ଯ୍ୟନ୍ତ କଥା ଯାଉଥିବା ଅଭିଯୋଗ ହେଉଛି। ଓଡ଼ିଆ ଶ୍ରମିକମାନେ ନିର୍ଯ୍ୟାତନା ସହିନପାରି କେତେକ କୌଣସି ପ୍ରକାରେ ନିଜ ଜୀବନକୁ ବଂଚାଇ ଖସି ଆସୁଥିବାବେଳେ ଆଉ କେତେକ କିଛି ବ୍ୟକ୍ତିଙ୍କ ସହାୟତାରେ ଘରକୁ ଫେରୁଛନ୍ତି ଓ ଆଉ କେତେକ କୌଣସି କୂଳ କିନାରା ନପାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଉଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବେଳେବେଳେ ବିଭାଗ ତତ୍ପରତା ଦେଖାଉଥିଲାବେଳେ ତାହା ଅନେକଙ୍କୁ ହତୋତ୍ସାହିତ କରିଥିବା ମଧ୍ୟ ଅଭିଯୋଗ ହେଉଛି। ଗତ କିଛିଦିନ ତଳେ ନୟାଗଡ଼ ବ୍ଳକର ୧୫ଜଣ ଓ ରଣପୁର ବ୍ଳକର ୧୭ଜଣ ଶ୍ରମିକଙ୍କୁ ମାଲେସିଆରେ ଚାକିରୀ କରାଇଦେବା କହି ଜଣେ ଦଲାଲ ଜଣ ପିଛା ୮୦ ହଜାର ଟଙ୍କା ଲେଖାଏଁ ଠକିନେଇଥିଲାବେଳେ ଶ୍ରମିକମାନେ ଜାଣିପାରି ଦଲାଲଙ୍କୁ ପାନେ ଦେଇଥିବା ଆଲୋଚନାର ବିଷୟ ହୋଇଥିଲା। ଏବେବି ରଣପୁର ବ୍ଳକର ୫ଜଣ ଶ୍ରମିକ ମାଲସେଆରେ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ମୁକୁଳାଇବା ପାଇଁ ସେମାନଙ୍କ ପରିବାର ଲୋକେ ଜିଲା ଶ୍ରମ କାର୍ଯ୍ୟାଳୟରେ ଲିଖିତ ଜଣାଇବା ପରେ ବିଭାଗ ଏହାକୁ ଗୁରୁତର ସହ ନେଇଛି। ରଣପୁର ବ୍ଳକର ଲଡ଼ୁକେଶ୍ୱରପ୍ରସାଦ ଗ୍ରାମର ଏହି ୫ଜଣ ଶ୍ରମିକଙ୍କ ପରିବାରରେ ଆଉ ଚୁଳି ଜଳୁନଥିବା ଦେଖାଦେଇଛି। ଲଡୁକେଶ୍ୱରପ୍ରସାଦ ଗ୍ରାମର ଏହି ୫ଜଣ ହେଉଛନ୍ତି ଲକ୍ଷ୍ମୀଧର ପ୍ରଧାନ, ଅରୁଣ ପ୍ରଧାନ, କୁଶ ବେହେରା, ଆଲୋକ ବେହେରା ଓ ଡମ୍ବରୁ ବେହେରା। ପରିବାରଲୋକଙ୍କୁ ଅଭିଯୋଗ ଅନୁଯାୟୀ ଶରଣକୁଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର ଏଜେଂଟ ରବିନ୍ଦ୍ର ପାଢୀ ମାଲସେଆର ଏକ ସପିଂ ମଲରେ ଚାକିରି କରାଇଦେବାକୁ କହିଥିଲା ଏବଂ ସେମାନଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ମାସକୁ ୫୦ ହଜାର ଟଙ୍କା ମିଳିବ ବୋଲି କହିଥିଲା। ରବିନ୍ଦ୍ର ସେମାନଙ୍କୁ ଗତ ଅକ୍ଟୋବର ମାସ ୨୧ ତାରିଖରେ ମାଲେସିଆ ନେଇଥିଲା। ମାଲେସିଆ ଗଲାପରେ ସେମାନଙ୍କୁ ସପିଂ ମଲରେ ରଖାନଯାଇ କଂସେଇଖାନାରେ କାମ କରିବାକୁ ବାଧ୍ୟ କେରାଯାଇଥିଲା। ଶ୍ରମିକମାନେ କିଛିଦିନ ବାଧ୍ୟବାଧକତାରେ କିଛି ଦିନ କାମ କରିବା ପରେ ଏଠାରେ ନରହି କେମିତି ଘରକୁ ଯିବୁବୋଲି ବାଟ ଖୋଜିଥିଲେ। ହେଲେ ଠିକାଦାର ଜଚ୍ଚଙ୍କ ସେମାନଙ୍କୁ ଜୋରଜବରଦସ୍ତ କାମରେ ଖଙ୍କାଇ ନିର୍ଯ୍ୟାତନା ଦେଇଥିଲା। ଏପରିକି ପାଟିକଲେ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲା। ଶେଷରେ ୫ଜଣ ଶ୍ରମିକଙ୍କ ପରିବାର ଲୋକେ ଏ ଖବରପାଇ ସେମାନଙ୍କୁ ମୁକୁଳେଇବା ପାଇଁ ରଣପୁର ଥାନାରେ ଜଣାଇଥିଲେ। ଏନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ କ୍ରମେ ମାଲେସିଆରେ ଥିବା ଭାରତୀୟ ଦୂତାବାସ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବାବେଳେ ସେଠାରୁ ଆସିବାକୁ ୪୦ ହଜାର ଟଙ୍କା ଦରକାର ପଡ଼ୁଥିବାରୁ ସେମାନେ ଏତେ ଟଙ୍କା ଦେଇନପାରି ସେଠାରେ ଅଟଳି ରହିଥିବା ଜଣାପଡ଼ିଛି। ଯାହାକି ଶ୍ରମିକମାନେ ନିଜ ଗାଁକୁ ଫେରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଉଲେଖଯୋଗ୍ୟ ୨୦୧୮ ମସିହା ଡିସେମ୍ବର ୨୪ରେ କାମ ଅନ୍ୱେଷଣରେ କେରଳକୁ ଯାଇ ନୂଆଗାଁ ବ୍ଳକ ଖଣ୍ଡୁଗାଁ ଗ୍ରାମର ବିପିନ ମହାପାତ୍ର ହତ୍ୟାର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିବାବେଳେ ୨୦୧୮ ଅକ୍ଟୋବର ୫ରେ ଦୁବାଇକୁ ଯାଇ ରଣପୁର ବ୍ଳକ ରଣ୍ଢା ଗ୍ରାମର ସୁଶାନ୍ତ ଜେନାଙ୍କ ମୃତ୍ୟୁ ଘଟିଥିଲା। ତେବେ ଜିଲାରେ ମାଳମାଳ ଦଲାଲ ସକ୍ରିୟ ଥିବାବେଳେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେବା ଶ୍ରମବିଭାଗର ଉଦାସୀନତା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।