Odiapua.com

ଶ୍ରମ କୋଡ଼୍ ବାତିଲ ଦାବିରେ ପୂର୍ବାଂଚଳ ଶ୍ରମ ସମ୍ମିଳନୀ ସମ୍ମୁଖରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ବିକ୍ଷୋଭ

ଭୁବନେଶ୍ୱର, ୨୨/୧୦ (ଓଡ଼ିଆ ପୁଅ) – କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ କରିବା ପାଇଁ ବିଭିନ୍ନ ରାଜ୍ୟ ମାନଙ୍କରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ କରି ରାଜ୍ୟ ସରକାରଙ୍କର ସମ୍ମତି ନାମରେ ରାଜ୍ୟ ମାନଙ୍କ ଉପରେ ଶ୍ରମ କୋଡ଼୍କୁ ଲଦି ଦେଉଛନ୍ତି। ଆଜି ଭୁବନେଶ୍ୱର ମେ’ଫେୟାର ହୋଟେଲରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାଂଚଳ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହେବାବେଳେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ୍ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚଏମ୍ଏସ, ସିଆଇଟିୟୁ, ଏଆଇସିସିଟିୟୁ ଓ ଏଆଇୟୁଟିୟୁସି ପକ୍ଷରୁ ମିଳିତଭାବରେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ‘ଦି ଆକ୍ୟୁପେସନାଲ ସେଫ୍ଟି ସିକ୍ୟୁରିଟି ଆଣ୍ଡ ଅରଗାନାଇଜେସନାଲ ବିଲ୍ -୨୦୧୯’, ଯାହା ସଂସଦରେ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଛି, ତାକୁ ଗୃହୀତ କରାଇନେଇ ରାଜ୍ୟମାନଙ୍କରେ ଲାଗୁ କରିବା ପାଇଁ ଭୁବନେଶ୍ୱରଠାରେ ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବମାନଙ୍କର ଏହି ପୂର୍ବାଂଚଳ ସମ୍ମିଳନୀ ଆୟୋଜନ କରିଛନ୍ତି। ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାଠାରୁ ଏ’ ଯାବତ୍ ଜାତୀୟ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ନକରି ଶ୍ରମ ନୀତିର ସଂଶୋଧନ ପାଇଁ ଆଂଚଳିକ ଶ୍ରମ ସମ୍ମିଳନୀ ଜରିଆରେ ଶ୍ରମ କୋଡ୍ କୁ ଲାଗୁ କରୁଛନ୍ତି। ରାଜ୍ୟ ସରକାରମାନେ କେନ୍ଦ୍ରର ନୀତିକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।

୪୪ଗୋଟି ଶ୍ରମ ଆଇନକୁ ୪ଗୋଟି ଶ୍ରମ କୋଡ଼୍ କରି ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା, ସର୍ବନିମ୍ନ ମଜୁରୀ, ନିରାପତ୍ତା ଓ ସାମାଜିକ ସୁରକ୍ଷା ଇତ୍ୟାଦିକୁ ଫିଙ୍ଗିଦେଇ କର୍ପୋରେଟ୍ ସ୍ୱାର୍ଥରେ ଏହା କରାଯାଉଛି। ଏହାକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡ଼େରେସନମାନେ ଲଗାତରଭାବେ ବିରୋଧ କରୁଛନ୍ତି। ଆଜି ମେ’ ଫେୟାର ହୋଟେଲଠାରେ ଅନୁଷ୍ଠିତ ହେଉଥିବା ପୂର୍ବାଂଚଳ ଶ୍ରମ ସମ୍ମିଳନୀବେଳେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ପକ୍ଷରୁ ସର୍ବଶ୍ରୀ କିଶୋର ଜେନା, ଡକ୍ଟର ସୌରୀବଂଧୁ କର, ବିଷ୍ଣୁ ଚରଣ ମହାନ୍ତି, ଜୟସେନ ମେହେର, ମହେନ୍ଦ୍ର ପରୀଡ଼ା, ଦୁଷ୍ମନ୍ତ ଦାସ, ସିଭିଏନ୍ ରାଓ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଣତି ମିଶ୍ର, ସତ୍ୟାନନ୍ଦ ବେହେରା, ବ୍ରଜବନ୍ଧୁ ପ୍ରଧାନ ଓ ନବକିଶୋର ମହାନ୍ତି ପ୍ରମୁଖ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା ଏବଂ ସେମାନେ ଶ୍ରମ କୋଡ଼୍କୁ ବାତିଲ କରିବାକୁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଦେଶବ୍ୟାପି ଦିଆଯାଇଥିବା ଧର୍ମଘଟ ଡାକରାକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।।