Odiapua.com

ଶ୍ରମିକ ୟୁନିୟନ ବିବାଦକୁ ନେଇ ଆକ୍ରମଣ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାନ୍ଦିଆ ବେଦାନ୍ତ ଫେକର କଂପାନୀରେ ଶ୍ରମିକ ୟୁନିୟନକୁ ନେଇ ଲାଗିଥିବା ବିବାଦ ତୀବ୍ର ରୂପ ନେଇଛି। ଏହି କଂପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଓ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କୁ କେତେକ ଯୁବକ ମାଡ ମାରି ଗୁରୁତର କରିବା ପ୍ରତିବାଦରେ ବ୍ୟବସାୟୀ କମିଟି ଓ ଶ୍ରମିକମାନେ ଭଦ୍ରକ-ଆନନ୍ଦପୁର ରାସ୍ତା ରାନ୍ଦିଆ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଶ୍ରମିକ ଓ ବ୍ୟବସାୟୀ କମିଟି ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ରାନ୍ଦିଆ ସମିତି ସଭ୍ୟ ଶ୍ରୀଧର ନାୟକ ଓ ସ୍ଥାନୀୟ ବଜାର କମିଟି ସଦସ୍ୟ ଅନନ୍ତ ଖୁଣ୍ଟିଆ ସଂପୃକ୍ତ ଯୁବକମାନଙ୍କୁ ଗିରଫ କରାନଗଲେ ଏହି ରାସ୍ତାରୋକ ହଟିବ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି କଂପାନୀର ଶ୍ରମିକ ୟୁନିୟନ୍‌କୁ ନେଇ ବିବାଦ ଲାଗି ରହିଛି। ଏହି ଘଟଣାରେ ଦୁଇଜଣ ଯୁବକ ଜଣେ ଫେକର କର୍ମଚାରୀ ଓ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ। ଫଳରେ ତାର ପ୍ରତିବାଦରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ଆନ୍ଦୋଳନ କରିବା ସହ କଂପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି।