Odiapua.com

ଶ୍ରମିକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଏମ୍‌ଏସ୍ ଦେଲା ୪ ଦଫା ଦାବିପତ୍ର, ଆପୋଲୋ ହସ୍‌ପିଟାଲ୍ ବିରୁଦ୍ଧରେ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିହାରର ପାଟ୍‌ନା ଠାରେ ଗତ ୭ରୁ ୯ ତାରିଖ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ବିଂଶତମ ତ୍ରୟବାର୍ଷିକ ଅଧିବେଶନରେ ଉପସ୍ଥାପିତ ହୋଇଥିବା ବିଭିନ୍ନ ଦାବି ପରେ ମୁଖ୍ୟ ୪ ଦଫା ଦାବି ନେଭଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହିତ ରାଜ୍ୟର ପ୍ରମୁଖ ଘରୋଇ ହସ୍‌ପିଟାଲ୍ ଆପୋଲୋ ହସ୍‌ପିଟାଲର ମନମୁଖି କାର୍ଯ୍ୟକୁ ପ୍ରତିବାଦ କରି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ;ରେ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, ଠିକା ପ୍ରଥା ତଥା ଠିକା ଶ୍ରମ ଆଇନ ୧୯୭୦ର ଆବଶ୍ୟକ ସଂଶୋଧନ, ଦେଶର ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯିବା, ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ଅଧିରିତ ମଜୁରୀ ନିର୍ଦ୍ଧାରଣ କରାଯିବା ଭଳି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ରାଜ୍ୟର ଆପୋଲୋ ହସ୍‌ପିଟାଲରେ ଆର୍ଥିକ ଅନିୟମିତା, କର୍ମଚାରୀମାରଣ ନୀତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ, ଗରିବ ରୋଗୀଙ୍କୁ ଲୁଟ, କର୍ମଚାରୀଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଆପୋଲୋ ହସ୍‌ପିଟାଲର ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥସାରଥି ମହାନ୍ତିଙ୍କୁ ବଦଳି ବାତିଲ କରାଯିବା ଦାବି ନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳଙ୍କ ନେତୃତ୍ୱରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର, ରାଜ୍ୟ ଆଶାକର୍ମୀ ସଂଘର ସହପ୍ରଭାରୀ ମୁକ୍ତିକାନ୍ତ ସାହୁ, ସହସମ୍ପାଦକ ବସନ୍ତ କୁମାର ରାଉତ, ଅଲ୍ ସଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ଜିଲ୍ଲା ସମ୍ପାଦିକା ଅନ୍ନପୂର୍ଣ୍ଣା ବିଶ୍ୱାଳ, ସଭାନେତ୍ରୀ ଜୟନ୍ତୀ ଜେନା, ଆଶାକର୍ମୀ ସଂଘର ସମ୍ପାଦିକା ସଞ୍ଜୁଲତା ରାଉତ, ସଭାନେତ୍ରୀ ତିଳୋତ୍ତମା ଦାସ, ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା କମଳାକାନ୍ତ ସାହୁ, ରବି ନାରାୟଣ ଦେଓ, ନାରାୟଣ ପାଣିଗ୍ରାହୀ ପ୍ରମୁଖ ବନ୍ତ ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଯାଇଥଥିଲେ । ସେଠାରେ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ ।