Odiapua.com

ଶ୍ରମିକ ବିନା ଉନ୍ନୟନ କାର୍ଯ୍ୟ ଅସମ୍ଭବ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ସମାରୋହ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ମଇ ୧ ତାରିଖରେ ପାଳିତ ହୋଇ ଆସୁଥିବା ଆନ୍ତର୍ଜାତୀୟ ଶ୍ରମିକ ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ଆଜି ସହିଦ୍ ସ୍ମୃତି ଭବନରେ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଭଦ୍ରକ ଜିଲ୍ଲା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇଥିଲେ । ଶ୍ରମିକମାନଙ୍କର ଉନ୍ନତି ସକାଶେ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ର ସୁବିଧା ସୁଯୋଗ ସମ୍ବନ୍ଧରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ । ଶ୍ରମିକମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଜରିଆରେ ନାମ ପଞ୍ଜିକରଣ କରିବା ଓ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ଆର୍ଥିକ ସହାୟତାର ଫାଇଦା ଉଠାଇବା ପାଇଁ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଜେନା ପରାମର୍ଶ ପ୍ରଦାନ କରିଥିଲେ । ଶ୍ରମିକମାନଙ୍କ ଶ୍ରମ ବଳରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହେଉଛି ବୋଲି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶ୍ରମିକମାନଙ୍କ ଉନ୍ନତି ଓ ସାମାଜିକ ନିରାପତ୍ତା ପାଇଁ ସରକାରଙ୍କ ତରଫରୁ ଥିବା ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ସେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟକି ଆଜି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ସମୁଦାୟ ୭୨୩ ଜଣ ହିତାଧିକାରୀଙ୍କୁ ସମୁଦାୟ ୨ କୋଟି ୩୦ଲକ୍ଷ ୯୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ସମୁଦାୟ ୬୭ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି ।

ଏଥି ମଧ୍ୟରେ ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଜରିଆରେ ଶିକ୍ଷା ପାଇଁ ୪୮୭ ହିତାଧିକାରୀଙ୍କୁ ୩୫,୭୩,୦୦୦, ବିବାହ ପାଇଁ ୧୪୬ ଜଣଙ୍କୁ ୬୭,୫୦,୦୦୦, ମୃତ୍ୟୁ କ୍ଷତିପୂରଣ ବାବଦ ୫୯ ଜଣଙ୍କୁ ୧,୧୩,୦୦୦୦୦, ଶବ ସଂସ୍କାର ପାଇଁ ୧୦ ଜଣଙ୍କୁ ୫୦,୦୦୦, ମାତୃତ୍ୱ ପାଇଁ ୧୨ ଜଣଙ୍କୁ ୧,୧୮୦୦୦, ସମୁଦାୟ ୭୧୪ ଜଣ ହିତାଧିକାରୀଙ୍କୁ ୨,୧୭,୯୧,୦୦୦ ଟଙ୍କା ପ୍ରଦାନ କରାଯାଇଛି ଏବଂ ୫୦ ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ସେହିପରି ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ୧୩ ଜଣ ହିଧାଧିକାରୀଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ ୧ଲକ୍ଷ ଲେଖାଏଁ ସମୁଦାୟ ୧୩ ଜଣଙ୍କୁ ୧୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ ୧୭ଜଣଙ୍କୁ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ମଞ୍ଚ ପରିଚାଳନା କରିବା ସହିତ ଶ୍ରମିକମାନଙ୍କ ପାଇଁ ଶ୍ରମ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ନିର୍ମାଣ ଶ୍ରମିକ ନାମ ପଞ୍ଜିକରଣ ବିଭିନ୍ନ ସହାୟତା ପ୍ରାପ୍ତି ପାଇଁ ଆବେଦନ ପ୍ରକ୍ରିୟା ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ ପାଇଁ ଦେୟ ଶୁକ୍ଳ ବାବଦରେ ସେ ସୂଚନା ପ୍ରଦାନ କରିଥିଲେ । ପ୍ରଦତ୍ତ ସୂଚନା ଅନୁଯାୟୀ ତା ୧-୪-୨୦୨୩ରିଖ ଠାରୁ ଅଣକୁଶଳୀ ଶ୍ରମିକ ପାଇଁ ଦିନ ପ୍ରତି ସର୍ବନିମ୍ନ ୩୪୫ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ପାଇଁ ୩୮୫ଟଙ୍କା, କୁଶଳୀ ଶ୍ରମିକ ପାଇଁ ୪୩୫ଟଙ୍କା ଓ ଅଧିକ କୁଶଳୀ ଶ୍ରମିକ ପାଇଁ ଦିନପ୍ରତି ସର୍ବନିମ୍ନ ମଜୁରୀ ୪୯୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ସମ୍ବନ୍ଧୀୟ ଆଇନ୍‌, ଶିଶୁ ଶ୍ରମିକମାନଙ୍କୁ କାମରେ ନିୟୋଜିତ କଲେ ସେଥିପାଇଁ ଜେଲଦଣ୍ଡ ଓ ଜୋରିମାନା ସମ୍ବନ୍ଧରେ ମଧ୍ୟ ସଚେତନ କରାଯାଇଥିଲା । ସହକାରୀ ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ ଓ ରତ୍ନାକର ମଲ୍ଲିକ ଏହି ପାଳନ କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।