Odiapua.com

ଶ୍ରମିକ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ ବୈଠକ, ୬ ମାସ ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୨୦ ହଜାର ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶ୍ରମ ବିଭାଗ ଜରିଆରେ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇ ସମାଜ ପାଇଁ କୁପ୍ରଭାବ ସୃଷ୍ଟି କରୁଥିବା ଶିଶୁ ଶ୍ରମିକ ଘଟଣାର ମୂଳୋତ୍ପାଟନ ପାଇଁ ତୃଣମୂଳସ୍ତରୁ ସଚେତନତା ସହ ଧରପଗଡ଼ ଓ ଆଇନାନୁଯାୟୀ ଦଣ୍ଡ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅଧାରୁ ପାଠ ଛାଡ଼ୁଥିବା ପିଲାମାନେ ଶିଶୁ ଶ୍ରମିକ ସାଜି କ୍ରମେ ନିଶା ଓ ଅପରାଧ ଆଡ଼କୁ ଢ଼ଳି ସମାଜ ପାଇଁ ସମସ୍ୟା ସୃଷ୍ଟି କରୁଥିବା କଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଥିଲେ । କେତେକ କ୍ଷେତ୍ରରେ ଦାରିଦ୍ର‌୍ୟତା ମଧ୍ୟ ଶିଶୁ ଶ୍ରମିକର କାରଣ ବୋଲି ସି.ଡ଼ବ୍ଲ୍ୟୁ.ସି.ଅଧ୍ୟକ୍ଷ କହିଥିଲେ । ବିଭିନ୍ନ ସମୟରେ ଉଦ୍ଧାର କରାଯାଇଥିବା ଶିଶୁମାନେ ବିଶେଷ କରି ପାଠ ପଢ଼ା ପ୍ରତି ଆଗ୍ରହୀ ହେଉ ନଥିବାରୁ ସେମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷାର ବ୍ୟବସ୍ଥା କରାଗଲେ ଅଧିକ ସୁଫଳ ମିଳିପାରନ୍ତା ବୋଲି ଚାଇଲଡ଼୍ ଲାଇନ୍‌ର ନିର୍ଦ୍ଦେଶିକା ସେକ୍ ସୋଫିଆ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶ୍ରମ ଅଧିକାରୀ ଶିଶୁ ଶ୍ରମିକ ନିଷେଦ୍ଧ ଆଇନ୍‌ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଏହି ଆଇନ୍ ଅନୁଯାୟୀ ଶିଶୁ ଶ୍ରମିକ ନିଯୁକ୍ତିଦାତାଙ୍କ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ସର୍ବନିମ୍ନ ୨୦ ହଜାର ଟଙ୍କାରୁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ୧୪ ବର୍ଷରୁ କମ୍ ପିଲାଙ୍କୁ କୌଣସି ପେଷା ବା ଶ୍ରମ ପ୍ରକ୍ରିୟାରେ ନିୟୋଜନ କରାଯିବା ନିଷିଦ୍ଧ ହୋଇଛି । ୧୪ ରୁ ଅଧିକ ଏବଂ ୧୮ ବର୍ଷରୁ କମ ବୟସର କିଶୋର ମାନଙ୍କୁ କୌଣସି ବିପଜ୍ଜନକ ପେଷା କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବାକୁ ଅନୁମତି ଦିଆଯିବ ନାହିଁ । ଅଣ ବିପଜ୍ଜନକ କାର୍ଯ୍ୟରେ କିଶୋର ଶ୍ରମ ନିୟୋଜିତ ହୋଇ ପାରିବ । ଦୁଇଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଶିଶୁ ଶ୍ରମକୁ ଅନୁମତି ଦିଆଯାଇଛି । ଜଣେ ଶିଶୁର ସ୍କୁଲଶିକ୍ଷାକୁ ବାଧାଗ୍ରସ୍ତ ନକରି ସେହି ଶିଶୁକୁ ସ୍କୁଲ ନିର୍ଘଣ୍ଟ ବାହାରେ ନିଜ ପରିବାର କାର୍ଯ୍ୟ ବା ପରିବାରର କୌଣସି ଉଦ୍ୟୋଗରେ ସାହାଯ୍ୟ କରିବା ପାଇଁ ଅନୁମତି ଦିଆଯାଇପାରିବ ଯାହା ବିପଜ୍ଜନକ ପେଷା ବା ପ୍ରକ୍ରିୟା ହୋଇ ନଥିବ । ଏ ସବୁ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଶିଶୁ ଶ୍ରମିକ ନିରାକରଣ ସଚେତନତା ନେଇ ଗତ ୯ ତାରିଖରୁ ଶୁଭାରମ୍ଭ କରାଯାଇଥିବା ସଚେତନତା ରଥ ଜିଲ୍ଲାରେ ପରିକ୍ରମା କରୁଛି । ଆଗାମୀ ଦିନରେ ହେବାକୁ ଥିବା ସଚେତନତା ଶୋଭାଯାତ୍ରା କେବଳ ଜିଲ୍ଲାରେ ନହୋଇ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ହେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶିଶୁ ଶ୍ରମିକ ନିରାକରଣ ପାଇଁ ପଞ୍ଚାୟତସ୍ତରୀୟ କମିଟିକୁ ସକ୍ରିୟ କରାଯିବା ପାଇଁ ଶିଶୁ ମଙ୍ଗଳ କମିଟି ସଦସ୍ୟ ଅମର ବାରିକ୍‌ଙ୍କ ପ୍ରସ୍ତାବପ୍ରତି ମଧ୍ୟ ବୈଠକରେ ସହମତି ପ୍ରକାଶ ପାଇଥିଲା ।