Odiapua.com

ଶ୍ରମିକ ଦିବସରେ ଦୁର୍ଦ୍ଦଶାରେ ଶ୍ରମିକ ; ଅନୁଗୁଳ ରୁ ଝାରଖଣ୍ଡ ପାଦରେ ଚାଲି ଚାଲି ୩ ଶହ କିମି

ଯୋଡା, ୦୧ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ଶ୍ରମିକ ଦିବସ ଅବସରରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଯୋଡାସ୍ଥିତ ବନେଇକଳା ଛକରେ । ଏହି ଲକ୍ ଡାଉନ ପ୍ରକ୍ରିୟା ଚାଲୁରହିଥିବା ବେଳେ ଅନୁଗୁଳରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ୧୩ ଜଣ ଆଦିବାସୀ ଶ୍ରମିକ କାମଧନ୍ଦା ହରାଇ ଖାଇବାକୁ ନପାଇ ଅନୁଗୁଳ ନାଲକୋ ଠାରୁ ପାଦରେ ଚାଲି ଚାଲି ନିଜ ଘର ଝାରଖଣ୍ଡସ୍ଥିତ ରାଜ ଖରସୁଆଁକୁ ଫେରୁଥିବା ଦେଖିବାକୁ ମିଳିଛି । ସେମାନେ ହେଲେ ଜନମସିଂ କୁଚାଇ, ଶଙ୍କରଟୁଡୁ କୁଚାଇ, ଜାମୁଦା କୁଚାଇ, ଲାଦୁ ପୁର୍ତ୍ତି, ଦାମୋଦର ବାଙ୍କିରା, ବୁଧୁରାମ ଗାଗରାଇ, ବିରେନ୍ଦ୍ର ମୁଣ୍ଡା, ବୁଧନ ଗାଗରାଇ, ବିଜୟ ଗାଗରାଇ, ରାଜନ ଲାମି, ସିଦ୍ଧୁ ହନହାଗା, ରବି ସୋମବାରୀ, ଟୁରି ହେମ୍ବ୍ରମ । ଗତ ୨୧ ତାରିଖ ଠାରୁ ବାହାରି ଚାଲି ଅନୁଗୁଳ ଠାରୁ ତାଙ୍କର ଯାତ୍ରା ଆରମ୍ଭ କରି ଶୁକ୍ରବାର ସକାଳେ ଯୋଡା ଠାରେ ପହଞ୍ଚିଥିଲେ । କଳାପାହାଡ ଛକରେ ସେମାନେ ପହଞ୍ଚିବା ପରେ କିଛି ଲୋକ ତାଙ୍କୁ ଘେରିଯାଇ ପଚରା ଉଚରା କରିବା ପରେ ଜଣାପଡିଥିଲା ଯେ, ସେମାନେ ପ୍ରାୟ ୩ଶହ କି.ମି. ଅତିକ୍ରମ କରି ନିଜ ଗାଁରେ ଅଭିମୁଖେ ଭୋକ ଉପାସରେ ଚାଲିବା ଆରମ୍ଭ କରିଥିଲେ ବୋଲି ଜଣାପଡିଥିଲା । ସେମାନଙ୍କୁ ଦି ୱାର୍ଲଡ ଭିଜନ ପକ୍ଷରୁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ପରେ ସେମାନେ ଖାଇସାରି ଆଉଥରେ ଚାଲିବା ଆରମ୍ଭ କରିଥିଲେ । ସେମାନେ ଶନିବାର ଦିନ ଝାରଖଣ୍ଡ ର ନୁଆମୁଣ୍ଡି ବାଟ ଦେଇ ଝିଙ୍କପାଣି, ଚାଇଁବାସା, ଦେଇ ସଡେଇକଳା ଖରସୁଆଁରେ ପହଞ୍ଚିବେ ବୋଲି କହିଥିଲେ । ଏହି ଯାତ୍ରାଟି କେତେ କଷ୍ଟ କର ସେମାନେ ଉପସ୍ଥିତ ଲୋକଙ୍କ ଆଗରେ ବଖାଣିଥିଲେ । ଲକ୍ ଡାଉନ ପ୍ରକ୍ରିୟା ଯୋଗୁଁ ସବୁ ଠାରୁ ବେଶି ଶ୍ରମିକମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏହା ସେଗୁଡିକ ମଧ୍ୟରୁ ଏକ ଦୃଷ୍ଟାନ୍ତ ବୋଲି କୁହାଯାଉଛି ।