Odiapua.com

ଶ୍ରଦ୍ଧାଳୁ, ଆରଡି ପଞ୍ଚାୟତବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ଅଭିଯୋଗ, ଉତ୍ତର ରଖିବାକୁ ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ତଥା ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସମେତ ଆରଡି ପଞ୍ଚାୟତବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ହୋଇଛି । ଏ ସଂପର୍କରେ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ବାରମ୍ବାର ଅଭିଯୋଗ ଆଣିଛନ୍ତି । ଏକ ଅଭିଯୋଗର ଶୁଣାଣି କରି କମିଶନ ଭଦ୍ରକ ଜିଲାପାଳଙ୍କୁ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଭଦ୍ରକ ଜିଲାପାଳ ଏଯାବତ୍ ରିପୋର୍ଟ ଦାଖଲ କରିନଥିବାରୁ କମିଶନ ବିରକ୍ତି ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଉକ୍ତ ଧର୍ମପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ଆରଡି ପଞ୍ଚାୟତବାସିନ୍ଦା ସର୍ବନିମ୍ନ ମାନବାଧିକାରରୁ ବଂଚିତ । ୨୦୨୩ ମସିହାରେ ଏ ଦିଗରେ ସେ ମାନବାଧିକାର ଆୟୋଗଙ୍କ ଠାରେ ପିଟିସନ ଦାଖଲ କରିଥିଲେ । ଶିବଗଙ୍ଗା ପୋଖରୀର ପୁନରୁଦ୍ଧାର ସହିତ ଶ୍ରଦ୍ଧାଳୁଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମନ୍ଦିର ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ, ବ୍ୟବହାର ଅନୁପଯୋଗୀ ଶିବଗଙ୍ଗା ପୋଖରୀ ପାଣି, ପ୍ରସାଦ ରନ୍ଧା ଯାଉଥିବା ରୋଷଶାଳା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ସମସ୍ୟା ଉଭୟ ଶ୍ରଦ୍ଧାଳୁ ଓ ପଞ୍ଚାୟତବାସୀଙ୍କ ସମସ୍ୟାରେ ପକାଇଛି । ସେହିପରି ତିନିତର ଘାଟ, ମୁଆଁ ଘାଟ ଓ ଧନକଣିଆ ଘାଟଠାରେ ନଦୀ ଉପରେ ପୋଲ ନଥିବାରୁ ଶ୍ରଦ୍ଧାଳୁମାନେ ଅତି ବିପଜ୍ଜନକ ଅବସ୍ଥାରେ ଦେଶୀ ଡଙ୍ଗାରେ ପାର ହୋଇ ବାବାଙ୍କୁ ଦର୍ଶନ ପାଇଁ ଆସୁଛନ୍ତି । ଏ ସମସ୍ତ ସମସ୍ୟା ଶ୍ରଦ୍ଧାଳୁ ଓ ଆରଡି ପଞ୍ଚାୟତବାସୀଙ୍କ ମାନବାଧିକାରକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଛି । ତେଣୁ ଏ ଦିଗରେ ମାନ୍ୟବର ଆୟୋଗ ତଦନ୍ତ କରି ମୁଖ୍ୟ ଶାସନ ସଚିବ, ସଂସ୍କୃତି ବିଭାଗ ସଚିବ ଓ ଭଦ୍ରକ ଜିଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ । ଏହିପରି ୧୨ଟି ପିଟିସନର ଶୁଣାଣି କରି ମାନ୍ୟବର ଆୟୋଗ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଭଦ୍ରକ ଜିଲାପାଳଙ୍କୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଆସିଛନ୍ତି । ତେବେ ଶେଷ ପିଟିସନ୍‌ର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ଏ ସମସ୍ତ ସମସ୍ୟା ଉପରେ କି ପ୍ରକାର ପଦକ୍ଷେପ ନିଆଯାଇଛି, ତାର ଉତ୍ତର ରଖିବାକୁ ଆୟୋଗ ଭଦ୍ରକ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।