Odiapua.com

ଶ୍ରଦ୍ଧାଞ୍ଜଳି : ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ପାଇଁ ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ନିଆଗଲା ସ୍ୱର୍ଗଦ୍ୱାର

ଜଗତସିଂହପୁର-୭/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ।ବିଷ୍ଣୁ ଦାସଙ୍କ ଗାଁ ମୁକୁନ୍ଦପୁରରେ ମରଶରୀର ପହଞ୍ଚିଲା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ।ପତ୍ନୀ ଓ ଭଉଣୀ ମିନତୀ ଦାସଙ୍କ ସମେତ ଆତ୍ମୀୟମାନେ ଆତ୍ମହରା ହୋଇପଡିଥିଲେ। ପରମ୍ପରା ଅନୁଯାୟୀ କର୍ମାଦି କରାଯିବା ପରେ କୋକେଇରେ ମରଶରୀରକୁ ପୈତୃକ ଜନ୍ମମାଟି ଅର୍ପଣ କରିଥିଲେ ଆତ୍ମୀୟସ୍ୱଜନ। ରାମନାମ ସତ୍ୟହେ, ହରିନାମ ସତ୍ୟହେ ଧ୍ୱନି ସାଙ୍ଗକୁ ଏକମାତ୍ର ପୁତ୍ର ବିଜୟ ଶଙ୍କର ଦାସ ଖଇ କଉଡି ଓ ପଇସା ବିଞ୍ଚି ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବିଷ୍ଣୁ ଦାସଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ବିଷ୍ଣୁ ଦାସ ପରଲୋକ ଗମନ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶାସକ ବିଜେଡି ଦଳ ଓ ବିରୋଧୀ ଦଳର ନେତାମାନେ ଶୋକବ୍ୟକ୍ତ କରିଥିଲେ। ଆଜି ସକାଳୁ ସକାଳୁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ମରଶରୀରକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲାକୁ ଅଣାଯାଇଥିଲା। ପ୍ରଥମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ପରିକ୍ରମା କରାଯାଇ ଜଗତସିଂହପୁର ନିଆଯାଇଥିଲା। ତିର୍ତ୍ତୋଲ ବ୍ଲକ ବିଜେଡି କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଡିଆରଡିଏ, ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଜଗତସିଂହପୁର ଏସଭିଏମ କଲେଜ ପରିସରକୁ ନିଆଯାଇଥିଲା। ପରେପରେ ପୈତୃକ ଜନ୍ମମାଟି ତଥା ପୈତୃକ ଘର ଜଗତସିଂହପୁର ସିପି ମୁକୁନ୍ଦିପୁରରେ ପହଞ୍ଚି ବିଦ୍ଧିସତ୍କାର କରାଯାଇ ଅନ୍ତିମ ବିଦାୟକାଳିନ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଭୁବନେଶ୍ୱରରୁ ଜଗତସିଂହପୁର ଶବାଧାରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ସମେତ ବହୁ ରାଜନେତା, ସଂଗଠକ, କର୍ମୀ ଓ ଶୁଭେଚ୍ଛୁ ସାମିଲ ହୋଇ ଅନ୍ତିମ ବିଦାୟ ଦେଇଥିଲେ।ସ୍ୱର୍ଗତ ବିଷ୍ଣୁ ଦାସ ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଆନ୍ଦୋଳନର ନେତୃତ୍ବ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଗୋଟିଏ ସାଧାରଣ ଦିନମଜୁରୀଆ ପରିବାରରୁ ଆସି ଏସଭିଏମ କଲେଜରେ ପାଠପଢିବା ସମୟରୁ ୧୯୮୦ଦଶକରୁ ଛାତ୍ରନେତା, ୧୯୯୦ମସିହାରୁ ଲଗାତର ୫ଥର ଜଗତସିଂହପୁର ବିଧାୟକ ଓ ୨୦୧୯ରେ ତିର୍ତ୍ତୋଲରୁ ବିଧାୟକ ଥିଲେ।ଏହାରି ଭିତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ରାଜ୍ୟସଭା ସାଂସଦ, ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି, ଓଡିଶା ସ୍କାଉଟଗାଇଡ ସମେତ ଅନେକ ସଂସ୍ଥାର ପଦପଦବୀରେ ରହିଆସିଥିଲେ। ତିନି ଦଶନ୍ଧି ଧରି ଜଗତସିଂହପୁର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ଛାପଛାଡି ଆଜି ଅନ୍ତିମ ଯାତ୍ରା କରିଥିବା ଏହି ବର୍ଷୀୟାନ ନେତାଙ୍କ ସ୍ଥାନ ଅପୂରଣୀୟ ବୋଲି ଜିଲ୍ଲାବାସୀ ମତବ୍ୟକ୍ତ କରିଛନ୍ତି।