Odiapua.com

ଶୋଚନୀୟ ସହର ରାସ୍ତାର ନବୀକରଣ ଦାବି

ବାଲେଶ୍ୱର, ୨୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): ମରଣଯନ୍ତା ପାଲଟି ଥିବା ବାଲେଶ୍ୱର ସହରର ଏକାଧିକ ରାସ୍ତାର ନବୀକରଣ ଦାବିରେ ଯୁବ ସଂଗଠକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଗୁରୁବାରଦିନ ସ୍ମାରକପତ୍ର ପ୍ରଦାନ କରିଛି। ସହରର ଲୋକସଂଖ୍ୟା ଓ ଯାନବାହାନ ବୃଦ୍ଧି ପାଇଥିବା ବେଳେ ଶୋଚନୀୟ ରାସ୍ତାଘାଟ ଯୋଗୁଁ ପ୍ରତିଦିନ ଦୁର୍ଘଟଣାମାନ ଘଟି ଚାଲିଛି ବୋଲି ଏହି ପ୍ରତିନିଧି ଦଳ ଆରୋପ ଉଠାଇଛି। ବିଶେଷ କରି ଅଧିକ ଶୋଚନୀୟ ହୋଇଥିବା ଗୋପାଳଗାଁ ରାସ୍ତାରେ ଗାଡ଼ି ମୋଟର ତ ଦୂରର କଥା ପାଦରେ ଚାଲି ଚାଲି ଯିବା ଏବେ ଦୁର୍ବିସହ ହୋଇ ପଡ଼ିଛି। ବାରମ୍ବାର ଅଭିଯୋଗ ପରେ ବି ପୌର କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଯୁବନେତା ଶ୍ରୀ ପଣ୍ଡା କହିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ।