Odiapua.com

ଶୋକାକୂଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ଗୋଟିଏ ପରିବାରର ୫ ସଦସ୍ୟ

କଟକ, ୧୩/୪ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟା ମାମଲାରେ କଟକରେ ହୋଇଛି ସମସ୍ତ ମୃତକଙ୍କ ଶେଷକୃତ୍ୟ। କଟକ କାଳିଆବୁଦା ଶ୍ମଶାନରେ ଅଲେଖ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଏବଂ ଝିଅର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏସସିବି ମେଡିକାଲରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ଶ୍ମଶାନ ଅଣାଯାଇଥିଲା। ଏଠାରେ ସମସ୍ତଙ୍କର ହିନ୍ଦୁ ରିତିନୀତି ଅନୁସାରେ ଶେଷକୃତ୍ୟ କରାଯାଇଛି। ପାରିବାରିକ ବିବାଦରୁ ଗତକାଲି ବଡଭାଇର ପୁରା ପରିବାରକୁ ସାନଭାଇ ହତ୍ୟା କରିଥିଲା। ୫ ଜଣଙ୍କୁ ହାଣି ହତ୍ୟା କରିଥିଲା ସାନ ଭାଇ ଶିବପ୍ରସାଦ ସାହୁ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି।

ସୂଚନାଯୋଗ୍ୟଯେ, ଗତକାଲି କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ହୋଇଥିଲା। ଜମିବାଡି ବିବାଦକୁ କେନ୍ଦ୍ର କରି ବଡ଼ ଭାଇର ପରିବାରକୁ ହତ୍ୟା କରିଥିଲା ସାନ ଭାଇ। ବଡ଼ ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶିବ ପ୍ରସାଦ ସାହୁ ନାମକ ବ୍ୟକ୍ତି ନିଜ ବଡ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ହତ୍ୟା କରିଛି। ମୃତକ ହେଲେ ବଡ଼ଭାଇ ଅଲେଖ ସାହୁ, ପୁଅ ସ୍ମୃତି ସାଇ, ସ୍ମୃତି ସୌରଭ, ପତ୍ନୀ ରଶ୍ମିରେଖା ପୃଷ୍ଟି, ସୃତି ସନ୍ଧ୍ୟା ସାହୁ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପାରିପାର୍ଶ୍ୱିକ ଅବସ୍ଥାରୁ ରାତିରେ ଶୋଇଥିବା ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ଜଣାପଡିଛି।

ଥାନାରେ ଆତ୍ମସମର୍ପଣ କରିବା ସହ ହତ୍ୟା କରିଥିବା ନେଇ ଶିବ ପ୍ରସାଦ ସାହୁ ସ୍ୱୀକାର କରିଛି। ବନ୍ଦ ଘରର କୋଠରୀ ଖୋଲି ପୁଲିସ ମୃତଦେହ ଜବତ କରିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି।