Odiapua.com

ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ ସଂପନ୍ନ ହେଲା ସୁଶାନ୍ତଙ୍କ ମରଶରୀର

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ଯୁବ ପ୍ରତିଭା ବିଜୁ ଜନତା ଦଳର ଜିଲା ସଂପାଦକ, କଟସାହି ସେବା ସମବାୟ ସମିତିର ସଭାପତି ସୁଶାନ୍ତ କୁମାର ପଣ୍ଡା (ଅଖୁଜା) (୪୩) ଙ୍କର ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲରେ ପରଲୋକ ଘଟିଛି । ଆଜି ତାଙ୍କର ମର ଶରୀରକୁ କଟସାହି ପଂଚାୟତର ବିଭିନ୍ନ ସାହି ଓ ବଜାର ଓ କଟସାହି ସେବା ସମବାୟ ସମିତି ଅଫିସ୍‌କୁ ନିଆଯାଇଥିଲା । ପରେ ତାଙ୍କ ନିଜ ଗ୍ରାମ ନନ୍ଦୋର ଶାସନକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପ୍ରକାଶ ଥାଉକି ସୁଶାନ୍ତ କିଛିଦିନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଅକାଳ ବିୟୋଗରେ ସମଗ୍ର ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ଶୁଣି ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ଧାମନଗର ବ୍ଲକ୍ ଅଧ୍ୟକ୍ଷ ଶର୍ମିଷ୍ଠା ବେହେରା, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ପୂର୍ବତନ ସରପଂଚ ରଘୁନାଥ ଲେଙ୍କା, ବିଜେଡି ବ୍ଲକ୍ ସଭାପତି ଉମେଶ ମହାନ୍ତି, ବ୍ଲକ୍ ଯୁବ ବିଜେଡି ସଭାପତି ଭାରତ ବିଜୟ ଦଳାଇ, ବିଜେଡି ଜିଲା ସଂପାଦକ କିଷନ କୁମାର ରାଉତ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ବିଜେଡି ନଗର ସଭାପତି ସୁଶାନ୍ତ ରାଉତ, ସାମ୍ବାଦିକ ସରୋଜ ସେଠୀଙ୍କ ସମେତ ଶହ ଶହ ମହିଳା ପୁରୁଷ ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।