Odiapua.com

ଶେଷରେ ବଦଳି ହେଲେ ବଙ୍କ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବଙ୍କସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁଙ୍କ ନାମରେ ମାଳ ମାଳ ଅଭିଯୋଗ ଆସୁଥିଲା । ଏହି ସ୍କୁଲରେ ବ୍ୟାପକ ଅନିୟମିତତା ସାଙ୍ଗକୁ ସ୍କୁଲ ପିଲାଙ୍କ ଖାଦ୍ୟରେ ହେରାଫେରି ଅଭିଯୋଗ ପରେ ଅଭିଭାବକ ମାନେ ସ୍କୁଲ ଘେରାଉ କରିଥିଲେ । ଏବଂ ଏ ସଂପର୍କରେ ବିଇଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେ ସତ୍ୟତା ଜାଣିବା ପରେ ଗତ ୨୪ ତାରିଖରେ ତାଙ୍କୁ ବଦଳି କରିଥିବାର ଜଣାପଡିଛି । କିନ୍ତୁ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ପୂର୍ବରୁ ଜଣେ ତତ୍‌କାଳୀନ ବିଜେଡି ନେତାଙ୍କ ଶରଣରେ ଥାଇ ପୁଣି କିଛି ବିଜେପି ଲୋକଙ୍କୁ ଧରି ବର୍ତମାନର ଭଦ୍ରକ ବିଧାୟକଙ୍କୁ ଭେଟିଥିଲେ । କିନ୍ତୁ ତାଙ୍କର ଏହି ଯୋଜନା କିଛି କାମ ଦେଲାନାହିଁ । ଶେଷରେ ତାଙ୍କୁ ସ୍କୁଲ ଛାଡିବାକୁ ପଡିଛି । ଅନ୍ୟପଟେ ଏହି ସ୍କୁଲର ଅନ୍ୟଜଣେ ଶିକ୍ଷୟିତ୍ରୀ ମନ୍ଦାକିନୀ ରାଉତଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ଯାହା ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ ହେଉଛି । ସେ ଜଣେ ଦକ୍ଷ ଓ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ବୋଲି ଅଭିଭାବକ ମାନେ କହିଛନ୍ତି । ଶ୍ରୀମତୀ ରାଉତ ନିଜେ ସେହି ସ୍କୁଲରେ ଇଂରାଜୀ, ଭୂଗୋଳ, ଗଣିତ, ସାହିତ୍ୟ ପ୍ରମୁଖ ବିଷୟ ପଢାଇ ପିଲାମାନଙ୍କର ଅତି ପ୍ରିୟ ଥିଲେ । ତାଙ୍କର ନାମରେ କୌଣସି ଅଭିଯୋଗ ନଥାଇ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବିଇଓ ବଦଳି କରିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିବା ସହିତ ଏକ ଦାବିପତ୍ର ବିଇଓଙ୍କୁ ଦେଇଛନ୍ତି । ଏବଂ ତାଙ୍କ ବଦଳି ବାତିଲ କରାନଗଲେ ଯେଉଁମାନେ ଦୀର୍ଘଦିନ ଧରି ଏଠାରେ ରହିଛନ୍ତି, ସେହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ବଦଳି କରିବାକୁ ଦାବି କରିଛନ୍ତି । ନଚେତ୍ ଖୁବଶୀଘ୍ର ଅଭିଭାବକମାନେ ସ୍କୁଲରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।