Odiapua.com

ଶେଣୀପୁର ସାଗରଦୁଲ୍ଲଣୀ ମହୋତ୍ସବ ଉଦ୍‌ଘାଟିତ, ସାଧୁମାନଙ୍କ ନୈଷ୍ଠିକ ଜୀବନ ସଂସାରର ଉନ୍ନତି କରିଥାଏ – ଭୈରବାନନ୍ଦ ସରସ୍ୱତୀ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶେଣୀପୁର ସାଗରଦୁଲ୍ଲଣୀ ମହାଲକ୍ଷ୍ମୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି।। ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ସାତକୋଶିଆ ଭୈରବ କୁଣ୍ଡର ବାବା ଶ୍ରୀଶ୍ରୀ ଭୈରାବାନନ୍ଦ ସରସ୍ୱତୀ ମହାରାଜ ଉଦଘାଟନ କରି କହିଲେ, ଭାରତର ମୂଳଭିତ୍ତିଭୂମି ଆଧ୍ୟାତ୍ମିକତା। ବିଜ୍ଞାନବାଦ ମାନବ ଚେତନାର ଶେଷ ସୋପାନରେ ପହଞ୍ôଛବା ପରେ ଆଧ୍ୟାତ୍ମିକ ଚେତନାର ଆରମ୍ଭ ହୋଇଥାଏ। କିଛି ସାଧୁସନ୍ଥ ନୈଷ୍ଠିକ ଜୀବନ ଯାପନ କରି ନିଜର ସାଧନା ଦ୍ୱାରା ବିଶ୍ୱର ଅଜ୍ଞାନ ଶକ୍ତିକୁ ପରାହତ କରି ସଂସାରରେ ଭଗବତ ଜୀବନ ସ୍ଥାପନ କରିବାରେ ଅଗ୍ରଦୂତ ସାଜିଛନ୍ତି। ସମ୍ବାଦଦାତା ହେମନ୍ତ ସିଂହଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଆମ ଆଦାମୀ ପାର୍ଟିର ଜିଲ୍ଲା ସମ୍ପାଦକ ନରହରି ସାହୁ ଯୋଗଦେଇ କହିଲେ ପବିତ୍ର ଭାରତ ଭୂମି ସାରା ବିଶ୍ୱର ଭାର ନିଜ ସ୍କନ୍ଧରେ ବହନ କରି ଆଗକୁ ଚାଲିଛି ଯାହାର ପ୍ରମାଣ ହେଉଛି ସାଂମ୍ପ୍ରତିକ ପରିସ୍ଥିତିରେ ଜି-୨୦ର ପରିଚାଳନା ଭାର ଆଜି ଭାରତ ଉପରେ ରହିଛି। ଦେବଭୂମି ଭାରତ ଏହି ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିବ। ମୁଖ୍ୟବକ୍ତା ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା କହିଲେ କଳା ଓ ସଂସ୍କୃତିର ଦେଶ ହେଉଛି ଭାରତ। ଏବେବି ଏହାର ଅର୍ନ୍ତନିହିତ ଶକ୍ତି ବୁଝିବାକୁ ବିଶ୍ୱ ଅକ୍ଷମ।

ଭାରତର ଜୀବନ ଧାରଣ ଶୈଳୀ ଉପରେ ପାଶ୍ଚ୍ୟାତ ଦେଶ ସମୂହ ଗବେଷଣା ଜାରୀ ରଖିଛନ୍ତି। ସେମାନେ ଅଭିଭୂତ ହେଉଛନ୍ତି ଭାରତରେ କିଭଳି ବିଭିନ୍ନ ଜାତି, ଧର୍ମ, ମତାମ୍ବଲମ୍ବୀର ଲୋକେ ଏକତ୍ର ବସବାସ କରୁଛନ୍ତି ତାହା ସେମାନଙ୍କୁ ଆଶ୍ଚଯ୍ୟାନ୍ୱିତ କରୁଛି। ବିଶିଷ୍ଟ ଶିକ୍ଷକ ନେତା ହରମୋହନ ପଣ୍ଡା, ସ୍ତମ୍ବକାର ସୁବୋଧ କୁମାର ସାହୁ ସମ୍ବର୍ଦ୍ଧିତ ପ୍ର୍‌ତିଭା ଭାବେ ଯୋଗଦେଇ ବିଶ୍ୱର ମଙ୍ଗଳ ପାଇଁ ଅମୃତ ମହୋତ୍ସବ ମାଧ୍ୟମରେ ଅଖଣ୍ଡ ଧ୍ୱନୀ ପ୍ରଜ୍ଜ୍ୱଳନ ପୂର୍ବକ ବିଶ୍ୱଶାନ୍ତି, ଜୀବ କଲ୍ୟାଣ ନିମନ୍ତେ କରାଯାଉ ଥିବା ଉଦ୍ୟମକୁ ପ୍ରଶଂସା କରିବା ସହ ସେବକ ଅବିନାଶସ ଦାସଙ୍କ ସେବା ମନୋଭାବ ତଥା ଜୀବନ ବ୍ୟାପି ସାଧନାକୁ ଅତିଥିମାନେ ସାଧୁବାଦ ଜଣାଇ ଥିଲେ। ପ୍ରାରମ୍ଭରେ ଆଶ୍ରମର ଅବିନାଶ ବାବା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶ୍ୱରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ। କଣ୍ଠଶିଳ୍ପୀ କ୍ଷୀରବ୍ଦୀ ତନୟା ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ଦୃଷ୍ଟିହୀନ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ପ୍ରାତଃ କାଳରେ ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋମଯଜ୍ଞ କରାଯାଇଥିଲା। ୭ଦିନ ବ୍ୟାପି ପ୍ରତ୍ୟେହ ସନ୍ଧ୍ୟାର ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଭା ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି ବୋଲି ଆଶ୍ରମର ଅବିନାଶ ବାବା ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ରାଜୀବ ସାମଲ, କାଳନ୍ଦୀ ବାରିକ, ନିହାର ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ମହୋତ୍ସବ ସାତଦିନ ବ୍ୟାପି ପାଳନ କରାଯିବ। ଏଥିପାଇଁ ଶେଣୀପୁର ଗ୍ରାମ ଚଳଚଞ୍ଚଳ ହୋଇ ଉଠିଛି। ଗହରିଶ୍ୱରୀ ଓ ଗହରିଶ୍ୱର ପୀଠକୁ ଆକର୍ଷଣୀୟ ଆଲୋକମାଳା ଓ ତୋରଣରେ ସଜା ଯାଇଥିବା ବେଳେ ସାଗରଦୁଲ୍ଲଣୀ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇଛି।